ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ: ୪ଦିନ ରହିବେ, ଦେଖିବେ ଘୋଷଯାତ୍ରା

Published By : Prameya-News7 Bureau | July 06, 2024 IST

ଭୁବନେଶ୍ୱର,୦୬/୦୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ଜୁଲାଇ ୬ରୁ ୯ ଯାଏଁ ଓଡ଼ିଶାରେ ରହିବେ । ଏହାପୂର୍ବରୁ ବ୍ଲୁ ବୁକ୍‌ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି । 

ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବେ । ବିମାନବନ୍ଦରରୁ ସିଧା ଜୟଦେବଭବନ ଯିବେ । ସେଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେବେ । ରାତିରେ ସେ ରାଜଭବନରେ ରହିବେ । ତା’ ପରଦିନ ପୁରୀ ଯିବେ । ମହାପ୍ରଭୁଙ୍କ ରଥଯାତ୍ରା ଦେଖିବେ । ସେଥିପାଇଁ ବାୟୁସେନାର ୩ଟି ହେଲିକପ୍ଟର ବ୍ୟବସ୍ଥା ହୋଇଛି ।  

୮ରେ ଖଣ୍ଡଗିରି-ଉଦୟଗିରି ପରିଦର୍ଶନ କରିବେ । ପରେ ବିଭୂତି କାନୁନଗୋ  କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ  ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ । ସେହିଦିନ ହରିଡାମଡ଼ା ଗାଁରେ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ଦିବ୍ୟ ରିଟ୍ରିଟ୍‌ କେନ୍ଦ୍ର ଉଦ୍‌ଘାଟନ କରିବା ସହ ‘ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ର ଶୁଭାରମ୍ଭ କରିବେ । 

୯ରେ ରାଷ୍ଟ୍ରପତି ନାଇଜହ ଯାଇ ଦୀକ୍ଷାନ୍ତ ସମାରୋହରେ  ଯୋଗଦେବେ । ସେହି ଦିନ ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ  ଆଜି ଭୁବନେଶ୍ୱର ବିମାନବନ୍ଦର ଠାରୁ  ରାଜଭବନ ଏବଂ ସେଠାରୁ ଖଣ୍ଡଗରି ଓ ନାଇଜର ପର୍ଯ୍ୟନ୍ତ କାରକେଡ ରିହର୍ସାଲ୍‌ କରାଯାଇଥିଲା । ସୁରକ୍ଷା ନେଇ ଡିଜିପି ଅରୁଣ ଷଡ଼ଙ୍ଗୀ ପୁଲିସ୍‌ କମିଶନର, କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି । ରବିବାର ପୁରୀରେ କାର୍‌କେଡ୍‌ ରିହର୍ସାଲ୍‌ କରାଯିବ । 

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେମିତି କୌଣସି ସମସ୍ୟା ନ ହୁଏ ସେ ଦିଗରେ ଏସ୍‌ପିଜି ଓ  ଏନ୍‌ଏସ୍‌ଜି ଟିମ୍‌ ଡିଜିପି ଶ୍ରୀ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରିଛନ୍ତି । ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୁଲିସ ଫୋର୍ସ  ମୁତୟନ ହେବେ ବୋଲି କମିଶନର ଶ୍ରୀ ପଣ୍ଡା କହିଛନ୍ତି । ଏହାସହ ୩ଟି କୁଇକ୍‌  ରେସପନ୍ସ ଟିମ୍‌, ୨ଟି ସ୍ପେଶାଲ ଟାକ୍ଟିକାଲ  ୟୁନିଟ୍‌ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ  ରହିବେ । 

୬ ଜଣ ଆଡିସନାଲ ଡିସିପି, ୧୭ ଏସିପି, ୨୫ ଇନ୍ସପେକ୍ଟର, ୧୦୦ ଜଣ ଏସଆଇ ଓ ଏଏସଆଇ ରାଷ୍ଟ୍ରପତିଙ୍କ  ସୁରକ୍ଷାରେ ନିୟୋଜିତ ହେବେ । ୧୨୦ ଜଣ ଟ୍ରାଫିକ କର୍ମଚାରୀ ଓ ୧୦୦ ହୋମଗାର୍ଡ, ଅଗ୍ନିଶମ ବିଭାଗର ଅଧିକାରୀ  ମଧ୍ୟ ଉପସ୍ଥିତ ରହିବେ । ଖଣ୍ଡଗିରି ଓ ଉଦୟଗିରିରେ ମାଙ୍କଡ଼ଙ୍କ ଉପରେ ନଜର ରଖିବାକୁ ବନ ବିଭାଗକୁ କୁହାଯାଇଛି । ବନ ବିଭାଗର ୩ଟି ଟିମ୍‌ ମାଙ୍କଡ଼ଙ୍କୁ ଘଉଡ଼ାଇବା ପାଇଁ ନିୟୋଜିତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.