ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ପତ୍ର ପ୍ରତ୍ୟାହରର ତାରିଖ ସମାପ୍ତ, ମଇଦାନରେ ଏବେ ଦୁଇ ପ୍ରାର୍ଥୀ

Published By : Prameya-News7 Bureau | July 02, 2022 IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ଥିଲା ପ୍ରାର୍ଥୀ ପ୍ରତ୍ୟାହାରର ଅନ୍ତିମ ତାରିଖ। ଏହି ଅବଧି ସରିବା ପରେ ଏବେ ମଇଦାନରେ ଅଛନ୍ତି ଦୁଇ ପ୍ରାର୍ଥୀ ଏନଡିଏର ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନା।  ଚଳିତ ମାସ ୧୮ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ନିର୍ବାଚନ ଅଧିକାରୀ ଦାୟିତ୍ଵରେ ଥିବା ରାଜ୍ୟସଭାର ମହାସଚିବ ପିସି ମୋଦୀ କହିଛନ୍ତି, ଜୁନ ୨୯ ପର୍ଯ୍ୟନ୍ତ ୯୪ ବ୍ୟକ୍ତିଙ୍କଠୁ ୧୧୫ ନାମାଙ୍କନ ପତ୍ର ମିଳିଥିଲା। ଏଥିରୁ ୧୦୭ ନାମାଙ୍କନ ନାକଚ ହୋଇଥିଲା।

ସଂସଦ ଭବନର କୋଠରୀ ନମ୍ବର ୬୩ ଏବଂ ରାଜ୍ୟ ବିଧାନସଭାରେ ଅଧିସୂଚୀତ କୋଠରୀରେ ଜୁଲାଇ ୧୮ରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯଏଁ ମତଦାନ ହେବ। ଏଥିରେ ମତଦାନ କରିବେ ସଂସଦର ଉଭୟ ଗୃହର ସଦସ୍ୟ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭାକୁ ନିର୍ବାଚିତ ସଦସ୍ୟ।

ବିଜୁ ଜନତା ଦଳ(ବିଜେଡି), ବହୁଜନ ସମାଜ ପାର୍ଟି(ବିଏସପି) ଏବଂ ଶିରୋମଣି ଅକାଳି ଦଳ ସମେତ ଅନେକ ଆଞ୍ଚଳିକ ଦଳ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ତେଣୁ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା  ରହିଛି। ଅନ୍ୟପଟେ ବିରୋଧୀ ଦଳ ଯେତେ ସମ୍ଭବ ହେବ ବିଜେପିକୁ କଡା ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.