ହାରିଗଲେ ଲି କେକିୟାଙ୍ଗ, ଲି କିୟାଙ୍ଗଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ
11/03/2023 at 5:43 PM

ନୂଆଦିଲ୍ଲୀ: ଚୀନରେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ପଦରେ ବସିବା ପରେ ସି ଜିନପିଙ୍ଗ ତାଙ୍କ ବିରୋଧରେ ସ୍ୱର ଉଠାଉଥିବା ବିରୋଧୀଙ୍କୁ ବାହାର ରାସ୍ତା ଦେଇଖାଇଛନ୍ତି । ଲି କେକିୟାଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ନିଜ ଘନିଷ୍ଠ ଲି କିୟାଙ୍ଗକୁ ଚୀନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । ଲି କେକିୟାଙ୍ଗଙ୍କ ବିଦାୟୀ ଭାଷଣରେ ତାଙ୍କର ହତାସା ସ୍ପଷ୍ଟ ବାରି ହେଉଥିଲା । ୧୦ ବର୍ଷ ଯାଏ ଚୀନର ପ୍ରଧାନମନ୍ତ୍ରୀ ରହିବା ପରେ ଲି କେକିୟାଙ୍ଗଙ୍କୁ ପଦ ଛାଡିବାକୁ ପଡ଼ିଛି ।
ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଲି କିୟଙ୍ଗଙ୍କ ନିଯୁକ୍ତିକୁ ନେଇ ଶନିବାର ରାଷ୍ଟ୍ରପତି ସି ଜିନପିଙ୍ଗ ଅନୁଷ୍ଠାନିକ ଘୋଷଣା କରିଛନ୍ତି । ନୂଆ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗଙ୍କ କାନ୍ଧରେ କୋଭିଡ-୧୯ ରୋକିବା ପାଇଁ ତିନି ବର୍ଷ ଲାଗୁ କରାଯାଇଥିବା ଲକଡାଉନ ଏବଂ ପାଶ୍ଚାତ୍ୟ ଦେଶ ଗୁଡିକ ସହ ବିଗୁଡିଥିବା ସମ୍ପର୍କ ମଧ୍ୟରେ ଦୁନିଆର ଦ୍ୱିତୀୟ ସର୍ବବୃହତ ଅର୍ଥନୀତିକୁ ପୁନର୍ଜୀବିତ କରିବାର ଦାୟିତ୍ୱ ରହିବ । ନ୍ୟାସନାଲ ପିପୁଲ୍ସ କଂଗ୍ରେସର ବାର୍ଷିକ ଅଧିବେଶନରେ ଲି କିୟାଙ୍ଗଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ବାଜିଛି । ରାଷ୍ଟ୍ରପତି ସି ଜିନପିଙ୍ଗ ନିଜେ ଲି କିୟାଙ୍ଗଙ୍କ ନାଁରେ ପ୍ରସ୍ତାବ ଦେଇଥିଲେ । ହଂକଂ ସ୍ଥିତ ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଏହି ନିର୍ବାଚନ ସର୍ବସମ୍ମତିରେ ହୋଇ ନଥିଲା ।
ଏନସିପିର ୨,୯୪୭ ସଦସ୍ୟଙ୍କ ମଧ୍ୟରୁ ୨,୯୩୬ ସଦସ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରସ୍ତାବିତ ନାଁର ସମର୍ଥନ କରିଥିଲେ । ଅନ୍ୟପଟେ ତିନି ଜଣ ଏହା ବିରୋଧରେ ମତଦାନ କରିଥିଲେ । ଆଠ ଜଣ ସଦସ୍ୟ ମତଦାନରୁ ବିରତ ରହିଥିଲେ । ମତଦାନ ପରେ ରାଷ୍ଟ୍ରପତି ଜିନପିଙ୍ଗ, ଲି କିୟାଙ୍ଗଙ୍କ ନିଯୁକ୍ତିକୁ ନେଇ ଏକ ରାଜକୀୟ ଆଦେଶ ଉପରେ ହସ୍ତାକ୍ଷର କରିଥିଲେ ।
୨୦୧୨ ମସିହାରେ ସି ଜିନପିଙ୍ଗ ସହ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା କେକିୟାଙ୍ଗ ଗତ ବର୍ଷ ସେବାନିବୃତ ହେବା ନେଇ ନିଷ୍ପତ୍ତି ନେଇଥିଲେ । ଭ୍ରଷ୍ଟାଚାର ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ତଥା ସେନା ଉପରେ ମଜଭୁତ ନିୟନ୍ତ୍ରଣ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରୟୋଗ କରାଯାଉଥିବା ଚାପକୁ ସେ ବିରୋଧ କରୁଥିଲେ । ଚୀନର ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ତୁଳନାରେ କେକିୟାଙ୍ଗଙ୍କୁ ଅଧିକ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ବୋଲି କୁହାଯାଉଥିଲା ।