କାର୍‌କେଡ୍‌ରୁ ଓହ୍ଲାଇ ବଡ଼ଦାଣ୍ଡରେ ୨ କି.ମି. ଚାଲିଚାଲି ଗଲେ ରାଷ୍ଟ୍ରପତି, ଗର୍ଭଗୃହରେ କଲେ ପୂଜାର୍ଚ୍ଚନା

Published By : Prameya-News7 Bureau | November 10, 2022 IST

ପୁରୀ: ଭାରତର ମହାମହିମ ରାଷ୍ଟ୍ରପତି ପୁରୀଗସ୍ତରେ ଯାଇ ମହାପ୍ରଭୁଙ୍କ ଦର୍ଶନ କହିଛନ୍ତି । ସମସ୍ତ ପ୍ରୋଟୋକଲ ଭାଙ୍ଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସିଂହଦ୍ଵାର ପର୍ଯ୍ୟନ୍ତ ଚାଲି ଚାଲି ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଭିକ୍ଷା କରିଛନ୍ତି। ଶ୍ରୀମନ୍ଦିରରେ ରାଷ୍ଟ୍ରପତି ପ୍ରାୟ ଅଧ ଘଣ୍ଟାଏ ବିତାଇବା ସହ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ସିଂହଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜଭବନରେ ମହାପ୍ରସାଦ ସେବନ କରିବା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ। 

ମହାମହିମଙ୍କର ଅଭିନବ ଭାବେ ଶ୍ରୀମନ୍ଦିର ଦର୍ଶନ କରିଥିଲେ । ରାଷ୍ଟ୍ରପତି ସମସ୍ତ ସୁରକ୍ଷା ବ୍ୟବସ୍ଥା ଓ ପ୍ରୋଟୋକଲକୁ ଉପେକ୍ଷା କରି ସିଂହଦ୍ଵାର ସମ୍ମୁଖକୁ ଚାଲି ଚାଲି ଯାଇଥିଲେ। ବଡ ଡାକ୍ତରଖାନା ଛକ ଠାରୁ ସେ ଆସୁଥିବା କାର୍କେଡ୍‌ରୁ ଓହ୍ଲାଇ ବଡ଼ଦାଣ୍ଡରେ ପ୍ରାୟ ଦୁଇ କିଲୋମିଟର ଚାଲି ଚାଲି ଆସିବା ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ବଡ଼ଦାଣ୍ଡର ମରିଚିକୋଟ ଛକରେ ଥିବା ଉତ୍କଳ ହିନ୍ଦି ବିଦ୍ୟାପୀଠର ଛାତ୍ର ଛାତ୍ରୀଙ୍କ ସହ ସେ ବାର୍ତ୍ତାଳାପ କରି ଫଟୋ ଉଠାଇଥିଲେ। ସିଂହଦ୍ଵାରରେ ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଛତିଶା ନିଯୋଗ ନାୟକ, କୌଳିକ ପଣ୍ଡା ଓ ପରିଚାଳନା କମିଟି ସଦସ୍ୟ ତାଙ୍କୁ ସ୍ବାଗତ ଜଣାଇ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ। ସିଂହଦ୍ଵାର ନିକଟରେ ରାଷ୍ଟ୍ରପତି ସାଷ୍ଟାଙ୍ଗ ପ୍ରଣିପାତ କରି ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ। 

wp:html https://youtu.be/7Is5nwPb3hA /wp:html

ଶ୍ରୀମନ୍ଦିରକୁ ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମନ୍ଦିର ପରିସରରେ ଥିବା ମା ବିମଳା, ମହାଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀ ମନ୍ଦିର ବୁଲି କୌଳିକ ପଣ୍ଡାଙ୍କ ଦର୍ଶନ‌ ଖାତାରେ ଦସ୍ତଖତ କରିଥିଲେ। ଏହାସହ ମନ୍ଦିର ଚୁଡାରେ ରାଷ୍ଟ୍ରପତିଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ବାନା ମଧ୍ୟ ବନ୍ଧା ଯାଇଥିଲା। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଥିଲେ। ଦର୍ଶନ ସାରି ରାଷ୍ଟ୍ରପତି ଫେରିବା ପରେ ସିଂହଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗ ପକ୍ଷରୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଦିଆଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି।

ପରେ ପୁରୀ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରି ସେଠାରେ ମହାପ୍ରସାଦ ସେବନ କରିଥିଲେ। ସୁଆର ମହାସୁଆର ନିଯୋଗ ପକ୍ଷରୁ ତିନି ପ୍ରକାର ପିଠା ଓ ୧୪ ପ୍ରକାର ବ୍ୟଞ୍ଜନ ରାଷ୍ଟ୍ରପତିଙ୍କୁ ପ୍ରସାଦ ସେବନ ପାଇଁ ପରସା ଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଭେଟି ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡରୁ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ।  

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରାୟ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ପ୍ରାୟ ଦୁଇଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ତେବେ ରାଷ୍ଟ୍ରପତି ସମସ୍ତ ପ୍ରୋଟୋକଲ ଭାଙ୍ଗି ମହାପ୍ରଭୁଙ୍କ ଦର୍ଶନ କରିବାର ଶୈଳୀ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଅଭିବୃତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.