ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ଆଜି କାରକେଡ଼ ରିହର୍ସଲ
9/02/2023 at 11:06 AM

ଭୁବନେଶ୍ୱର ୦୯।୦୨ : ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୋଲିସର ବୈଠକ ହୋଇଛି । ବ୍ଲୁ ବୁକ ଏସଓପି ଅନୁଯୀୟୀ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ରୁଟ ଲାଇନିଂ, ନାଇଟ ଗାର୍ଡ, ଚପର ଗାର୍ଡ ଏବଂ ରୁଫ ଟଫ୍ ରେ ସୁରକ୍ଷା କର୍ମୀ ମୁତୟନ ରହିବେ ।
ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନ ଗୁଡିକର ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଜଣେ ଜଣେ ଅତିରିକ୍ତ ଡିସିପି ରାଙ୍କ ଅଫିସର ରହିବେ । ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଣ୍ଟ୍ରି ଏବଂ ଏକ୍ସଜିଟ ପଏଣ୍ଟ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି । ରାଷ୍ଟ୍ରପତିଙ୍କ କାରକେଡ୍ ଇନଚାର୍ଜ ରହିବେ ଜଣେ ଏସ୍.ପି ରାଙ୍କ ଅଫିସର । ଆଜି କାରକେଡ଼ ରିହର୍ସଲ କରାଯିବ । ସୁରକ୍ଷା ଦାୟିତ୍ବରେ ରହିବେ ମୋଟ ୪୦ ପ୍ଲାଟୁନ ଫୋର୍ସ । ୨ ଶହ ପୋଲିସ ଅଫିସରଙ୍କ ନଜରରେ ରହିବ ପୁରା ସହର ।
ଶୁକ୍ରବାର ସକାଳେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ପରେ ପୂର୍ବାହ୍ନରେ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେବେ । ଅପରାହ୍ନ ୪ଟା ୧୫ରେ ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ରମାଦେବୀର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେବେ । ୧୧ ତାରିଖରେ ଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୀମିତ ସମୟ ପାଇଁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ । ଏହାପରେ କଟକ ଗସ୍ତ କରି ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ବିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି।