ସନ୍ଥକବିଙ୍କ ଆବିର୍ଭାବ ପୀଠ ଦର୍ଶନ କଲେ ମହାମହିମ, ଚଉଷଠି ସିଦ୍ଧଙ୍କର ଧୁନି ମଣ୍ଡପରେ ଦେଲେ ଅର୍ଘ୍ୟ

Published By : Prameya-News7 Bureau | March 02, 2024 IST

ସମ୍ୱଲପୁର ୦୨/୦୩: ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ ପୀଠରେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାରସୁଗୁଡା ବିମାନ ବନ୍ଦରରୁ ବାୟୁସେନାର ହେଲିକପ୍ଟର ଯୋଗେ କଦଳୀଗଡ ହାଇସ୍କୁଲ ପଡିଆରେ ହୋଇଥିବା ହେଲିପ୍ୟାଡରେ ପହଂଚି କାରକେଡ ଯୋଗେ ମଧୁପୁରରେ ପହଂଚିଥିଲେ । ମଧୁପୁରସ୍ଥିତ ସନ୍ଥକବିଙ୍କ ଆବିର୍ଭାବ ପୀଠ ଯାଇ ସେଠାରେ ପୁଷ୍ପ ପ୍ରଦାନ କରି ପୀଠର ଦର୍ଶନ କରିଛନ୍ତି ।

ଏହା ସହ ମଧୁପୁର ତାଳବଣରେ ଅବସ୍ଥିତ ଚଉଷଠି ସିଦ୍ଧଙ୍କର ଧୁନି ମଣ୍ଡପ ଯାଇ ଧୁନିରେ ଅର୍ଘ୍ୟ ପ୍ରଦାନ କରିବା ସହ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହି ସମୟରେ ପୀଠରେ ରାଷ୍ଟ୍ରପତି ସନ୍ଥକବିଙ୍କ ଆବିର୍ଭାବ ପୀଠରେ ମୁଣ୍ଡିଆ ମାରିଥିବା ଦେଖିବାକୁ ମିଳିଛି । ତେବେ ଆବିର୍ଭାବ ପୀଠରୁ ଚଉଷଠି ସିଦ୍ଧ ଆଶ୍ରମକୁ ଚାଲିଚାଲି ଆସିବା ସମୟରେ ବ୍ୟାରିକେଡ ପାର୍ଶ୍ୱରେ ଶହ ଶହ ସ୍ଥାନୀୟ ଅଧିବାସୀ ଥିବା ଦେଖି ତାଙ୍କ ପାଖକୁ ଯାଇ ହାତ ମିଳାଇବା ସହ କୁନି ଛୁଆଙ୍କୁ ଚକୋଲେଟ ବାଣ୍ଟିଥିଲେ ।

ତେବେ ଚଉଷଠି ସିଦ୍ଧଙ୍କର ଆଶ୍ରମରେ ତାଙ୍କୁ ସନ୍ଥକବିଙ୍କର ଏକ ଫଟୋ ଚିତ୍ର, ମହିମା ଧର୍ମର ସ୍ମୃତି ଚିନ୍ତାମଣି ପ୍ରଦାନ କରାଯାଇଛି । ଏହି ସମୟରେ ରାଷ୍ଟ୍ରପତିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ସରକାରଙ୍କର ମନ୍ତ୍ରୀ ରୀତା ସାହୁ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.