ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡିଶା ଗସ୍ତ ଶେଷ, ଫେରିଗଲେ ଦିଲ୍ଲୀ
11/02/2023 at 1:28 PM

ଭୁବନେଶ୍ୱର ୧୧।୦୨ : ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି । ଦୁଇ ଦିନିଆ ଓଡିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି ଟ୍ୱିନ୍ ସିଟିରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଶୁକ୍ରବାରଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି । ପ୍ରଥମେ ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନ ଫାଉଣ୍ଡେସଚ୍ ଡେ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ରାଜଭବନରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ ଟିକେ ବିଶ୍ରାମ ନେଇଥିଲେ ।
ଅପରାହ୍ଣରେ ରାଜଭବନରୁ ବାହାରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପହଞ୍ଚିଥିଲେ ରାଷ୍ଟ୍ରପତି । ରମାଦେବୀ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ସେଠାରୁ କାର୍ଯ୍ୟକ୍ରମ ସାରି ରାଜଭବନରେ ରାତ୍ରୀଯାପନ କରିଥିଲେ । ଏହାପରେ ଶନିବାର ସକାଳୁ ପ୍ରଥମେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ ଭୁବନେଶ୍ୱର ବିମାନବନ୍ଦରରୁ କଟକ ଅଭିମୁଖେ ବାହାରିଥିଲେ ।
ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ଦ୍ବିତୀୟ ଇଣ୍ଡିଆନ୍ ରାଇସ୍ କଂଗ୍ରେସର ଉଦଘାଟନ କରିଥିଲେ ଦ୍ରୌପଦୀ ମୁର୍ମୁ । କଟକରୁ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଥିଲେ ରାଷ୍ଟ୍ରପତି । ଭୁବନେଶ୍ବର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟି ରଖି ଭୁବନେଶ୍ବରରେ ୪୦ପ୍ଲାଟୁନ ଓ କଟକରେ ୨୦ ପ୍ଲାଟୁନ ଫୋର୍ସ, କଟକରେ ୧୦୦ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ କରାଯାଇଥିଲା।