ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନକୁ ସ୍ୱାଗତ କଲେ ରାଷ୍ଟ୍ରପତି, କହିଲେ-ଦେଶ ପାଇଁ ଗର୍ବର ବିଷୟ
28/05/2023 at 10:31 PM

ନୂଆଦିଲ୍ଲୀ: ବିରୋଧୀଙ୍କ ବହିଷ୍କାର ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂତନ ସଂସଦ ଭବନର ଉଦଘାଟନକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ ଏହା ସାରା ଦେଶ ପାଇଁ ଗର୍ବ ଏବଂ ହର୍ଷର ବିଷୟ ଅଟେ । ରାଷ୍ଟ୍ରପତି ନିଜ ସନ୍ଦେଶରେ କହିଛନ୍ତି ଯେ ନୂଆ ସଂସଦ ଭବନର ଉଦଘାଟନ ଦେଶ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖାଯିବ । ଉପରାଷ୍ଟ୍ରପତି ଜଗଦୀପ ଧନକଡ ମଧ୍ୟ ଏହାକୁ ଦେଶ ବିକାଶର ସାକ୍ଷୀ ବୋଲି କହିଛନ୍ତି । ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତିଙ୍କ ସନ୍ଦେଶକୁ ରାଜ୍ୟସଭାର ଉପସଭାପତି ହରିବଂଶ ନାରାୟଣ ସିଂ ପଢିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ଉପରେ ରାଷ୍ଟ୍ରପତି କହିଛନ୍ତି ଯେ ଏହା ଆମ ବିବିଧତା ଭାରତଭୂମିର ଉତ୍ତର ଭାଗକୁ ଦକ୍ଷିଣ ଯାଏ, ପୂର୍ବ ସୀମାରୁ ପଶ୍ଚିମ ଉପକୂଳ ଯାଏ ବାସ କରୁଥିବା ସମସ୍ତ ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଗୌରବ ଏବଂ ଅତୁଳନୀୟ ଆନନ୍ଦର ଅବସର ଅଟେ । ଉପରାଷ୍ଟ୍ରପତି ଜଗଦୀପ ଧନକଡ କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ରର ବିକାଶ ଯାତ୍ରାର ଐତିହାସିକ ମୁହୂର୍ତ୍ତରେ ନିର୍ମାଣ ହୋଇଥିବା ନୂତନ ସଂସଦ ଭବନ ଭବିଷ୍ୟତର ଆମ ବିକାଶର ସାକ୍ଷୀ ରହିବ । ଆତ୍ମନିର୍ଭର ଭାରତ ହେବା ନେଇ ଲୋକଙ୍କ ଆବଶ୍ୟକତା ପୂରଣ ଏବଂ ଗରିବୀ ଶେଷ ହେବା ଯାଏ ଏହି ଭବନ ଅନେକ ଐତିହାସିକ ମୁହୂର୍ତ୍ତର ଅଧ୍ୟାୟ ଲେଖିବ ।
ରାଜ୍ୟସଭା ଉପସଭାପତି ହରିବଂଶ ନାରାୟଣ ସିଂ କହିଛନ୍ତି ଯେ ବର୍ତ୍ତମାନ ସଂସଦ ଭବନ ଗଣତାନ୍ତ୍ରିକ ଗତିବିଧିର ଜୀବନ୍ତ କେନ୍ଦ୍ର ଏବଂ ପ୍ରଗତିର ମାର୍ଗଦର୍ଶକ ରହିଛି । ଆସନ୍ତା ବର୍ଷରେ ସୀମା ନିର୍ଦ୍ଧାରଣ କାରଣୁ ସଦସ୍ୟଙ୍କ ସଂଖ୍ୟାରେ ବୃଦ୍ଧିର ସମ୍ଭାବନା ଏବଂ ସଂସଦର ବଢୁଥିବା ଦାୟିତ୍ୱକୁ ଦେଖିଲେ ବର୍ତ୍ତମାନର ସଂସଦ ଭବନରେ ସ୍ଥାନର ଅଭାବ ଅନୁଭୂତ ହେଉଥିଲା । ତେଣୁ ଉଭୟ ଗୃହର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ନୂତନ ଭବନର ନିର୍ମାଣ ପାଇଁ ଆଗ୍ରହ କରିଥିଲେ ।