ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Published By : Prameya-News7 Bureau | March 01, 2024 IST

କଟକ ୧୩: ଓଡ଼ିଶାରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତ୍ରୀ ଉତ୍ସବରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ସେବାକୁ ୫୦ ବର୍ଷ ପୁରିଲା । କଟକ ସହରରୁ ୧୯୭୩ ମସିହାରେ ଆରମ୍ଭ ହୋଇଥିବା ଏହି ସେବାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଆଧ୍ୟାତ୍ମିକ ସେବାର ଆବଶ୍ୟକତା, ପ୍ରସଙ୍ଗିକତା ଓ ମହତ୍ୱ ଉପରେ ଆଲୋକପାତ କରିଛନ୍ତି । ରାଜଯୋଗ ମାଧ୍ୟମରେ ମଣିଷ ନିଜର ଆତ୍ମାକୁ ସଶକ୍ତ କରି ପାରିବ ଓ ଆଜିକାର ଅଶାନ୍ତ ବାତାବରଣ ଭିତରେ ଆତ୍ମା ସଶକ୍ତ ହେଲେ ହିଁ, ଏକ ଶାନ୍ତିପୂର୍ଣ୍ଣ ସମାଜ ଗଠନ ହୋଇପାରିବ । ବ୍ରହ୍ମାକୁମାରୀ ସଂସ୍ଥା ପକ୍ଷରୁ ରାଜ୍ୟରେ ଅବିରତ ଭାବରେ ଏହି ସେବା ହିଁ କରାଯାଉଛି । ବ୍ୟକ୍ତି ଚରିତ୍ର ପରିବର୍ତ୍ତନ କାମ ବ୍ରହ୍ମାକୁମାରୀ ସଂଗଠନ ବେଶ ପ୍ରଭାବଶାଳୀ ଢଙ୍ଗରେ କରିଛି । ଆଉ ଏହି ବ୍ୟକ୍ତି ଚରିତ୍ର ପରିବର୍ତ୍ତନ ହେଲେ, ସମାଜରେ, ରାଜ୍ୟରେ, ଦେଶରେ ଓ ବିଶ୍ୱରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି । ରାଜଯୋଗ ଦ୍ୱାରା ମାନସିକ ଶାନ୍ତି ଆଣି ସାମାଜିକ ଓ ଅର୍ଥନୈତିକ ଉନ୍ନତିକୁ ଚରିତାର୍ଥ କରିବା ବ୍ରହ୍ମାକୁମାରୀର ଆତ୍ମଜ୍ଞାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି ।

ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ, ରଘୁବର ଦାସ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ବ୍ରହ୍ମାକୁମାରୀ ସେବାରେ ନାରୀମାନଙ୍କୁ ଅଗ୍ରାଧିକାର ଦେବା ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ଯେଉଁ ସମୟରେ ନାରୀମାନଙ୍କର କୌଣସି ପ୍ରକାର ସମ୍ମାନ ବା ଅଧିକାର ନଥିଲା, ସେ ସମୟରେ ପ୍ରଜାପିତା ବ୍ରହ୍ମାଈଶ୍ୱରୀୟ ସେବା ଆରମ୍ଭ କରି, ସେବାର ସମ୍ପୂର୍ଣ୍ଣ ଦାୟିତ୍ୱ ନାରୀମାନଙ୍କ ହାତରେ ଅର୍ପଣ କରିଥିଲେ । ଆଜି ବି ନାରୀମାନଙ୍କୁ ସଶକ୍ତ କରି ଆଗକୁ ବଢାଇବାର ଏହି ପଦକ୍ଷେପର ପ୍ରାସଙ୍ଗିକତା ଯଥେଷ୍ଟ ରହିଛି ବୋଲି ରାଜ୍ୟପାଳ ଓ କୃଷିମନ୍ତ୍ରୀ ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି । ଆଜିର ଏହି ସୁନ୍ଦର ସମାବେଶ ବ୍ରହ୍ମାକୁମାରୀ ସେବାକୁ ଆଗକୁ ବଢିବାକୁ ଆହୁରି ଉତ୍ସାହ ଦେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଏହି କାର୍ଯ୍ୟକ୍ରମ ଆଗାମୀ ୨ ଦିନ ଧରି ଚାଲିବ । ଫୁଲନଖରା ନିକଟ ଓମ୍ଫେଡ ପଡିଆରେ ଶନିବାର ୪୭ଜଣ ବ୍ରହ୍ମାକୁମାରୀ ଭଉଣୀ ଈଶ୍ୱରୀୟ ସେବାରେ ସମର୍ପିତ ହେବାର କାର୍ଯ୍ୟକ୍ରମ ରହିଛି । ସମର୍ପିତ ଭଉଣୀମାନେ ଆଜୀବନ ବ୍ରାହ୍ମଚାରିଣୀ ରହି ଈଶ୍ୱରୀୟ ସେବାରେ ନିୟୋଜିତ ହେବେ ।

ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସେବା ୧୯୩୭ ମସିହାରେ ଆରମ୍ଭ ହୋଇଥିବା ବେଳେ, ରାଜ୍ୟରେ ଏହି ସେବା ୧୯୭୩ ମସିହାରେ ରାଜଯୋଗିନୀ ବ୍ରହ୍ମାକୁମାରୀ କମଲେସ ଦିଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ।

You Can Read :

wp:embed {"url":"https://www.prameyanews7.com/babasaheb-bhimrao-ambedkar-bus-terminal-inaugurated-by-cm/","type":"wp-embed","providerNameSlug":"prameya-news-7"}
https://www.prameyanews7.com/babasaheb-bhimrao-ambedkar-bus-terminal-inaugurated-by-cm/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.