ବର୍ଷେ ବଢିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ! ୨୦୨୩ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ..କାର୍ଯ୍ୟକାରିଣୀ ବୈଠକରେ କହିଲେ ବିଜେପି ଅଧ୍ୟକ୍ଷ

Published By : Prameya-News7 Bureau | January 16, 2023 IST

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଦିଲ୍ଲୀରେ ଆରମ୍ଭ ହୋଇଛି । ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ମୋହର ବାଜିଛି । ଅର୍ଥାତ୍ ଜେପି ନଡ୍ଡା ଆସନ୍ତା ଏକ ବର୍ଷ ଯାଏ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇ ରହିବେ । ଏହି ଅବସରରେ ନଡ୍ଡା ବୈଠକକୁ ସମ୍ୱୋଧିତ କରିଛନ୍ତି । ନଡ୍ଡା କହିଛନ୍ତି ଯେ ଚଳିତ ବର୍ଷ ହେବାକୁ ଥିବା ସମସ୍ତ ନିର୍ବାଚନରେ ବିଜୟୀ ହେବା ଦରକାର । ଏଥିରେ ସହଯୋଗ କରିବା ପାଇଁ ସେ ପାର୍ଟିର ନେତା ଏବଂ କାର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ।

ବିଜେପି ନେତା ରବିଶଙ୍କର ପ୍ରସାଦ ଉଦଘାଟନୀ ଅଧିବେଶନରେ ନଡ୍ଡାଙ୍କ ଭାଷଣର ସୂଚନା ଦେଇଛନ୍ତି । ବିଜେପି ସାଂସଦଙ୍କ ଅନୁସାରେ, ନଡ୍ଡା କହିଛନ୍ତି ଯେ ୨୦୨୩ ମସିହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଆମକୁ ୯ ରାଜ୍ୟରେ ନିର୍ବାଚନ ଲଢିବାର ଅଛି । ନିର୍ବାଚନ ଲାଗି ଅଣ୍ଟା ଭିଡିବା ପାଇଁ ସେ ପୂରା କାର୍ଯ୍ୟକାରିଣୀଙ୍କୁ ଆହ୍ୱାନ ଦେଇ ସମସ୍ତ ୯ ରାଜ୍ୟ ଜିତିବାର ଅଛି ବୋଲି କହିଛନ୍ତି ।

ଦଳର ଅଧ୍ୟକ୍ଷ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ଦୁନିଆର ପଞ୍ଚମ ବୃହତ ଅର୍ଥନୀତି, ମୋବାଇଲ ଫୋନର ଦ୍ୱିତୀୟ ସବୁଠୁ ବଡ଼ ନିର୍ମାତା, ଅଟୋମୋବାଇଲ କ୍ଷେତ୍ରରେ ତୃତୀୟ ବଡ଼ ନିର୍ମାତା ହୋଇଛି । ସେ କହିଥିଲେ ଯେ ପୂର୍ବେ ପ୍ରତିଦିନ ୧୨ କିଲୋମିଟରର ରାଜମାର୍ଗ ନିର୍ମାଣ ହେଉଥିଲା, ଆଜି ୩୭ କିଲୋମିଟର ନିର୍ମାଣ ହେଉଛି । ଦେଶ ଆଜି ମାଗଣା ରାସନ ସହ ଅନେକ କଲ୍ୟାଣକାରୀ ଯୋଜନାରେ ଗରିବଙ୍କୁ ସଶକ୍ତ କରିବାର କାମ କରାଯାଉଛି ।   

ଉଲ୍ଲେଖଯୋଗ୍ୟ ଯେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଏନଡିଏମସି କଭେନଶନ ସେଣ୍ଟରେ ଆୟୋଜନ କରାଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ମହାସଚିବ(ସଂଗଠନ) ବିଏଲ ସନ୍ତୋଷ, ରାଜନାଥ ସିଂ, ନିର୍ମଳା ସୀତାରମଣ, ଏସ.ଜୟଶଙ୍କରଙ୍କ ସହ ୩୫ କେନ୍ଦ୍ରମନ୍ତ୍ରୀ, ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଅଧ୍ୟକ୍ଷ ଭାଗ ନେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.