ରାଷ୍ଟ୍ରପତି ନିର୍ବାଚନ : ଆଜି ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

Published By : Prameya-News7 Bureau | June 24, 2022 IST

ନୂଆଦିଲ୍ଲୀ,୨୪/୦୬: ରାଷ୍ଟ୍ରପତି ନିର୍ବାଚନ ଲାଗି ଶୁକ୍ରବାର ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ । ଏନଡିଏ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଥିଲେ ଓଡିଆ ଆଦିବାସୀ ନେତ୍ରୀ ଦ୍ରୌପଦୀ । ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ପୁଷ୍ପଗୁଚ୍ଛ ଦେଇ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଉଭୟଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲା ।

ସାକ୍ଷାତ ପରେ ମୋଦୀ ଟ୍ବିଟ୍ କରି କହିଥିଲେ ଯେ, ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବ ପ୍ରତି ଦେଶର ସହମତି ରହିଛି । ତାଙ୍କ ରାଷ୍ଟ୍ରପତିଙ୍କ ନାମାଙ୍କନକୁ ସମାଜର ସମସ୍ତ ବର୍ଗର ଭାରତୀୟମାନେ ପ୍ରଶଂସା କରିଛନ୍ତି। ତୃଣମୂଳ ସ୍ତରର ସମସ୍ୟା ଏବଂ ଭାରତର ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ଉଲ୍ଲେଖନୀୟ। ପ୍ରଧାନମନ୍ତ୍ରୀଙ୍କ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ ଦ୍ରୌପଦୀ ମୁର୍ମୁ । ଦୌପ୍ରଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିବା ସହ ନିର୍ବାଚନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଅମିତି ଶାହ । ଶାହା କହିଥିଲେ ଯେ, ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାମ ଘୋଷଣା ଦ୍ବାରା ଆଦିବାସୀ ସମାଜ ଅତ୍ୟନ୍ତ ଗର୍ବ ଅନୁଭବ କରୁଛନ୍ତି । ମୁଁ ନିଶ୍ଚିତ ଯେ ତାଙ୍କର ପ୍ରଶାସନିକ ଏବଂ ସାଧାରଣ ଅଭିଜ୍ଞତା ସମଗ୍ର ଦେଶ ପାଇଁ ଲାଭଦାୟକ ହେବ । ଏହା ସହ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓ ଆଉ କିଛି ବରିଷ୍ଠ ନେତାଙ୍କୁ ଭେଟିଛନ୍ତି ଦୌପଦୀ ମୁର୍ମୁ ।

ସେପଟେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ସହ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ବସାଇବା ଲାଗି ଦଳମତ ନିର୍ବିଶେଷରେ ସମର୍ଥନ ଦେବାକୁ ଅପିଲ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୌପଦୀଙ୍କ ନାମାଙ୍କନ ସମୟରେ ସମର୍ଥନ ଦେବା ସହ ପ୍ରସ୍ତାବକ ଭାବେ ଦୁଇ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁ ଏବଂ ଜଗନ୍ନାଥ ସାରକା ଦିଲ୍ଲୀରେ ପହଞ୍ଚିଛନ୍ତି । ଏଥି ସହିତ ସାଂସଦ ସସ୍ମିତ ପାତ୍ର ମଧ୍ୟ ଦିଲ୍ଲୀରେ ଅଛନ୍ତି । ସେପଟେ ୧୦ ଜଣ ବିଜେପି ବିଧାୟକ ମଧ୍ୟ ଉପସ୍ଥିତ ରହିବା ଲାଗି ଦିଲ୍ଲୀ ଯାଇଛନ୍ତି ।
ଏତତ୍ ବ୍ୟତୀତ ଜେଏମଏମ ମଧ୍ୟ ଦ୍ରୌପଦୀଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରି ସାରିଛି । ଯାହା ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କ ବିଜୟକୁ ଆହୁରି ସହଜ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.