ରାଣୀ ଏଲିଜାବେଥ୍-ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସେପ୍ଟେମ୍ବର ୧୭ରେ କରିବେ ବ୍ରିଟେନ ଗସ୍ତ
14/09/2022 at 4:51 PM

ନୂଆଦିଲ୍ଲୀ ୧୪।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ।ଏଥି ଲାଗି ରାଷ୍ଟ୍ରପତି ଲଣ୍ଡନ ଗସ୍ତରେ ଯିବେ। ସେପ୍ଟେମ୍ବର ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବ୍ରିଟେନ ଗସ୍ତ କରିବେ। ଉଲ୍ଲେଖଯୋଗ୍ୟ ଯେ ଗତ ସେପ୍ଟେମ୍ବର ୮ ତାରିଖ ଦିନ ସ୍କଟଲ୍ୟାଣ୍ଡର ବାଲ୍ମୋରୋଲ କ୍ୟାସଲରେ ମହାରାଣୀଙ୍କ ପରଲୋକ ହୋଇଥିଲା। ସେପ୍ଟେମ୍ବର ୧୯ ତାରିଖ ସୋମବାର ଦିନ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ତାଙ୍କର ଅନ୍ତ୍ୟେଷ୍ଟି ଅନୁଷ୍ଠିତ ହେବ।

ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ନେଇ ଖୋଦ ରାଜପରିବାର ସୂଚିତ କରିଥିଲେ। ମହାରାଣୀ ଗତ କିଛି ସମୟ ହେଲା ଅସୁସ୍ଥ ରହୁଥିଲେ। ତେବେ ସବୁଠୁ ଯାହା ଖାସ କଥା ତାହା ହେଉଛି ରାଣୀ ଏଲିଜାବେଥ୍ ଗତ ଜୁନ ମାସରେ ତାଙ୍କ ଶାସନର ୭୦ ତମ ବାର୍ଷିକ ପାଳନ କରିଥିଲେ। ଏହି ଅବସରରେ ୪ ଦିବସୀୟ ପ୍ଲାଟିନମ ଜୁବଲୀ ମଧ୍ୟ ପାଳିତ ହୋଇଥିଲା।

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ ପ୍ରିନ୍ସ ଚାର୍ଲସଙ୍କୁ ତାଙ୍କ ଉତ୍ତରାଧିକାରୀ ନିଯୁକ୍ତ କରାଯାଇଛି। ସେ ଚାର୍ଲସ-ତୃତୀୟ ଭାବେ ବ୍ରିଟେନର ନୂଆ ରାଜା ହୋଇଛନ୍ତି। ବ୍ରିଟେନ ରାଜ ପରିବାରରେ ମହାରାଣୀଙ୍କ ପରେ ବ୍ରିଟିଶ ରାଜସିଂହାସନର ସେ ପ୍ରଥମ ଦାବିଦାର । ସେ ପ୍ରିନ୍ସ ଫିଲିପ ଓ ମହାରାଣୀ ଏଲିଜାବେଥଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି। ମହାରାଣୀ ଏଲିଜାବେଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକଟ କରିଥିଲେ।