ଜଷ୍ଟିସ୍ ୟୁୟୁ ଲଳିତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ; ନୋଟିସ୍ ଜାରି କରି ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Published By : Prameya-News7 Bureau | August 10, 2022 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଡଷ୍ଟିସ୍‌ ୟୁୟୁ ଲଳିତ। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର(ଅଗଷ୍ଟ୯) ଏକ ନୋଟିସ ଜାରି କରାଯାଇଛି। ଅଗଷ୍ଟ ୨୭ ତାରିଖରୁ ଜଷ୍ଟିସ ଲଳିତଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ନୋଟିସ୍‌ରେ କୁହାଯାଉଛି। ଅଗଷ୍ଟ ୨୬ ତାରିଖରେ ସିଜେଆଇ ଏନ୍‌ଭି ରମଣାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ ୟୁୟୁ ଲଳିତ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିବେ।   

ତେବେ ବଡ଼ କଥା ହେଉଛି ଜଷ୍ଟିସ ୟୁୟୁ ଲଳିତ ଆଉ ମାତ୍ର ଦୁଇ ମାସ ପରେ ନଭେମ୍ବର ୮ ତାରିଖରେ ଅବସର ଗ୍ରହଣ କରିବେ। ତେଣୁ ଅବସର ପୂର୍ବରୁ ତାଙ୍କୁ ସର୍ବୋଚ୍ଚ ବିଚାରପତି ଆସନରେ ନିଯୁକ୍ତି ମିଳିଛି। ସେ ମାତ୍ର ୭୪ ଦିନ ପାଇଁ ଏହି ଦାୟିତ୍ୱରେ ରହିବେ।  

ଜଷ୍ଟିସ ରମଣାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବ ସେନେଇ ପରାମର୍ଶ ଦେବାକୁ ରମଣାକୁ ୨୦୨୨ ଅଗଷ୍ଟ ୩ ତାରିଖରେ ଜଣାଇଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ। ଏହାପରେ ରମଣା ତୁରନ୍ତ ଏହାର ଉତ୍ତର ଦେଇ ଜଷ୍ଟିସ୍‌ ଲଳିତଙ୍କୁ ପ୍ରଧାନ ବିଚାରପତି ବାଛିଥିଲେ।     

ଜଷ୍ଟିସ ୟୁୟୁ ଲଳିତଙ୍କ ସମ୍ପର୍କରେ ସୂଚନା-

୧୯୫୭ ମସିହା ନଭେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଲଳିତ ଆଇନଜୀବୀ ଭାବେ ୧୯୮୩ରେ କେରିୟର ଆରମ୍ଭ କରିଥିଲେ। ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ କାର୍ଯ୍ୟରତ ଥିଲେ। ଏହାପରେ ଦିଲ୍ଲୀରେ କାର୍ଯ୍ୟକାଳ ଆରମ୍ଭ କରିଥିଲେ।  ପରେ ୨୦୦୪ରେ ସେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଭାବେ ନିଯୁକ୍ତି ପାଇଥିଲେ।

ତେବେ ବାର୍ ଦ୍ୱାରା ସୁପ୍ରିମକୋର୍ଟର ବିଚାରପତି ମନୋନୀତ ହେବା ପୂର୍ବରୁ ଜଷ୍ଟିସ୍ ଲଳିତ ସିବିଆଇର ସ୍ପେସିଆଲ୍ ପବ୍ଲିକ ପ୍ରସିକ୍ୟୁଟର ଭାବେ କାର୍ଯ୍ୟରତ ଥିଲେ। ୨୦୧୪ ଅଗଷ୍ଟ ୧୩ ତାରିଖରେ ଜଷ୍ଟିସ୍ ଲଳିତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।



  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.