ଚାଲିଛି ରଥଯାତ୍ରା ପ୍ରସ୍ତୁତି: ପୁରୀରେ ପହଞ୍ଚିଲା ରଥ ଦଉଡ଼ି
6/06/2023 at 11:06 PM

ପୁରୀ, ୦୬/୦୬: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ଦିନ କେଇଟା। ଏଥିପାଇଁ ରଥ ନିର୍ମାଣ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରସ୍ତୁତି ଜୋର୍ ସୋର୍ରେ ଜାରି ରହିଛି। ଏହାରି ମଧ୍ୟରେ ପୁରୀରେ ପହଞ୍ଚିଛି ରଥ ଦଉଡ଼ି। ରଥଟଣା ସହ ଇନର, ଆଉଟଡୋର ଓ ଜେନେରାଲ୍ କର୍ଡନ୍ ପାଇଁ ସମୁଦାୟ ୨୬ଟି ରଥ ଦଉଡ଼ି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ରଥ ଦଉଡ଼ି।

ରବିବାର ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ଯୋଗୁଁ ଜ୍ବରରେ ପୀଡ଼ିତ ହୋଇ ମହାପ୍ରଭୁ ଅଣସର ଘରେ ଅଛନ୍ତି। ରବିବାରଠାରୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇଥିବା ବେଳେ ଏହା ୧୫ ଦିନ ଧରି ଚାଲୁ ରହିବ। ଦଇତାପତିମାନେ ଜ୍ଵରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି। ଏହି ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଥିବା ବେଳେ ତୁଳସୀ ମଧ୍ୟ ଲାଗି କରାଯାଇ ନଥାଏ। ୧୫ ଦିନ ଧରି ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ।

ଆହୁରି ପଢ଼ନ୍ତୁ: ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ, ପ୍ରଥମ ଦିନରେ ଭକ୍ତଙ୍କ ଭିଡ଼ ଲାଗିଛି
ସେପଟେ, ଶ୍ରୀମନ୍ଦିର ଅଣସର ଗୃହରେ ଗୁପ୍ତ ସେବା ନୀତି ଚାଲିଥିବା ସମୟରେ ଦାରୁବ୍ରହ୍ମ ଜଗନ୍ନାଥଙ୍କ ଦର୍ଶନରୁ ଭକ୍ତମାନେ ବଞ୍ଚିତହୋଇଥାନ୍ତି । ତେଣୁ ଭକ୍ତମାନଙ୍କୁ ଅଲାରନାଥରେ ଦର୍ଶନ ଦେଇଥାନ୍ତି ଶିଳା ବ୍ରହ୍ମ ଚତୁର୍ଭୁଜ ନାରାୟଣ ରୂପରେ । ବ୍ରହ୍ମଗିରି ସ୍ଥିତ ପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠରେ ଭକ୍ତ ମାନେ ୧୪ ଦିନ ଧରି ଜଗନ୍ନାଥଙ୍କ ଶିଳା ବ୍ରହ୍ମ ଶ୍ରୀ ଅଲାରନାଥଙ୍କ ଦର୍ଶନ କରିବେ । ଏହି ୧୪ ଦିନ ବ୍ରହ୍ମଗିରି ଅଲାରନାଥ ପୀଠ ପଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର।
ଆହୁରି ପଢ଼ନ୍ତୁ: ସ୍ନାନଯାତ୍ରା ସାରି ଅଣସରପିଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି, ଏବେ ଗୁପ୍ତନୀତି ସହ ଚେରମୂଳି ଉପଚାର