ବେଡ୍ ନମିଳିବାରୁ ଗର୍ଭବତୀ ଭାରତୀୟ ମହିଳାଙ୍କ ମୃତ୍ୟୁ, ଇସ୍ତଫା ଦେଲେ ପର୍ତ୍ତୁଗାଲର ସ୍ଵାସ୍ଥ୍ୟ ମନ୍ତ୍ରୀ

Published By : Prameya-News7 Bureau | August 31, 2022 IST

ନୂଆଦିଲ୍ଲୀ: ଆମ ଦେଶରେ ମାଳ ମାଳ ଦୁର୍ନୀତି ପରେ ଏବଂ ଜେଲ୍ ଯିବା ପରେ ବି ମନ୍ତ୍ରୀମାନେ ପଦକୁ ଜାବୁଡି ଧରିଥାନ୍ତି। ଏହା ଦର୍ଶାଉଛି ଯେ ଭାରତୀୟ ନେତାଙ୍କ ଆତ୍ମସମ୍ମାନ ବୋଲି କିଛି ନାହିଁ। ହେଲେ ପର୍ତ୍ତୁଗାଲର ଜଣେ ମନ୍ତ୍ରୀ ଏମିତି କାର୍ଯ୍ୟ କରିଛନ୍ତି, ଯାହାଙ୍କଠୁ ଆମ ନେତାମାନଙ୍କୁ ନୈତିକ ଶିକ୍ଷା ଗ୍ରହଣ କରିବା ଉଚିତ୍। ଘଟଣା ଏମିତି  ପର୍ତ୍ତୁଗାଲରେ ଜଣେ ଗର୍ଭବତୀ ଭାରତୀୟ ମହିଳାଙ୍କ ହସ୍ପିଟାଲରେ ଜାଗା ନମିଳିବା କାରଣରୁ ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ସେଠାକାର ସ୍ଵାସ୍ଥ୍ୟ ମନ୍ତ୍ରୀ ମାର୍ତ୍ତା ଟେମିଡୋ  ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୩୪ ବର୍ଷୀୟ ମହିଳାଙ୍କ ହସ୍ପିଟାଲ୍‌ରେ ଶଯ୍ୟା ନମିଳିବା କାରଣରୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ,  ୩୪ ବର୍ଷୀୟ ମହିଳାଙ୍କୁ ରାଜଧାନୀ ଲିସବନର ଏକ ହସ୍ପିଟାଲ୍‌କୁ ଅଣାଯାଉଥିଲା। ହେଲେ ପ୍ରସୂତି ବିଭାଗ ଓ୍ଵାର୍ଡରେ ବେଡ୍ ନମିଳିବା କାରଣରୁ ତାଙ୍କୁ ଭର୍ତ୍ତି କରାଯାଇ ପାରିନଥିଲା ଏବଂ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଉଥିଲା। ତେବେ ରାସ୍ତାରେ ହୃଦଘାତ କାରଣରୁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ପର୍ତ୍ତୁଗାଲର  ହସ୍ପିଟାଲଗୁଡିକରେ କର୍ମଚାରୀ ଏବଂ ଡାକ୍ତରଙ୍କ ଅଭାବ କାରଣରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସି ସାରିଛି। ଡ. ମାର୍ତ୍ତା ଡେମିଡୋ ୨୦୧୮ରୁ ସ୍ଵାସ୍ଥ୍ୟ ମନ୍ତ୍ରୀ ଥିଲେ। କରୋନାର ଉଚିତ୍ ମୁକାବିଲା ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା। ହେଲେ ଭାରତୀୟ ମହିଳାଙ୍କ ସାମାନ୍ୟ ବେଡ୍‌ଟିଏ ନମିଳିବା କାରଣରୁ ମୃତ୍ୟୁ ଘଟିବା ଖବର ତାଙ୍କୁ ମର୍ମାହତ କରିଛି। ତାଙ୍କୁ ହୃଦବୋଧ ହୋଇଥିଲା ଯେ, ଏମିତି ସ୍ଥିତି ପାଇଁ ତାଙ୍କୁ ପଦରେ ରହିବା ଉଚିତ୍ ନୁହେଁ।

ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋସ୍ତା କହିଛନ୍ତି, ମହିଳାଙ୍କ ମୃତ୍ୟୁକୁ ନେଇ ଡ. ଟେମିଡୋ ବହୁତ ଦୁଃଖିତ। ଏଥିପାଇଁ ସେ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରସୂତି ବିଭାଗରେ ଶଯ୍ୟାର ଅଭାବକୁ ନେଇ ପର୍ତ୍ତୁଗାଲ ସରକାରଙ୍କୁ ବହୁତ ସମାଲୋଚନା କରାଯାଉଛି। ଏହି ସମସ୍ୟା କାରଣରୁ ଅନେକ ହସ୍ପିଟାଲ୍‌ରେ ଓ୍ଵାର୍ଡକୁ ବନ୍ଦ କରାଯାଇଛି। ଅନେକ ଥର ଗର୍ଭବତୀ ମହିଳାଙ୍କୁ ବିପଦଜ୍ଜନକ ସ୍ଥିତିରେ ଗୋଟିଏ ହସ୍ପିଟାରୁ ଅନ୍ୟ ହସ୍ପିଟାଲ୍‌କୁ  ସ୍ଥାନାନ୍ତର କରିବାକୁ ପଡିଥାଏ।

ସ୍ଥାନୀୟ ଗଣମାଧ୍ୟମର ଖବର ଅନୁଯାୟୀ ଭାରତୀୟ ମହିଳାଙ୍କୁ ଲିସବନର ସାନ୍ତା ମାରିଆ ହସ୍ପିଟାଲ୍‌ରୁ ସ୍ଥାନାନ୍ତର କରାଯାଉଥିଲା। ଏହା ରାଜଧାନୀ ଲିସବନର ସବୁଠୁ ବଡ ହସ୍ପିଟାଲ୍। ମହିଳାଙ୍କୁ ତ ବଞ୍ଚାଯାଇ ପାରିଲା ନାହିଁ ଜରୁରୀକାଳୀନ ସର୍ଜରୀ କରାଯାଇ ଶିଶୁକୁ ବଞ୍ଚା ଯାଇଛି। ଶିଶୁ ସୁସ୍ଥ ଥିବା ଜଣା ପଡିଛି। ମହିଳାଙ୍କ ମୃତ୍ୟୁକୁ ନେଇ ତଦନ୍ତ କମିଟି ଗଠନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.