ଉଗ୍ର ହେଲାଣି ‘ତିତଲି’ : ବାତ୍ୟା ପାଇଁ ବ୍ୟକ୍ତିଗତ ସ୍ତରରେ ନିଅନ୍ତୁ ଏହିସବୁ ସତର୍କତା

Published By : Prameya-News7 Bureau | October 10, 2018 IST

ଭୁବନେଶ୍ବର ୧୦|୧୦:  ଭୟଙ୍କର ବାତ୍ୟା ତିତଲି ଉଗ୍ର ରୂପ ନେବାରେ ଲାଗିଛି । ଘଣ୍ଟାକୁ ୧୦୦ରୁ ୧୧୦ କିମି ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହେବ । ଏହି ସମୟରେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଘଟିପାରେ । ମୁଖ୍ୟତଃ ବଡ ବଡ ଗଛ, ବିଜୁଳି ଖୁଣ୍ଟ ଉପୁଡିଯାଇପାରେ । ଦୁର୍ବଳ ଘର ଭାଙ୍ଗିଯାଇପାରେ । ବାତ୍ୟା ଭୟରେ ଦୋକାନ ବଜାର ବନ୍ଦ ରହିପାରେ । ଗଛ ପଡିବା ଏବଂ ବଜୁଳି ଖୁଣ୍ଟ ଉପୁଡିଯିବା ଯୋଗୁଁ ପାଓ୍ବାର କଟ୍ ହୋଇପାରେ, ଜଳ ଯୋଗାଣ ବନ୍ଦ ରହିପାରେ । ଭୀଷଣ ବର୍ଷା ଯୋଗୁଁ ତଳି ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ଉପୁଜିପାରେ । ଓଡିଶା ପାଇଁ ବନ୍ୟା, ବାତ୍ୟା ଭଳି ପରିସ୍ଥିତି କିଛି ନୂଆକଥା ନୁହେଁ । ମହାବାତ୍ୟା, ଫାଇଲିନ, ହୁଡୁହୁଡୁ ଆଦି ନିକଟ ଅତୀତରେ ହୋଇଥିବା ବାତ୍ୟାର ଅନୁଭୂତି ସମସ୍ତଙ୍କର ରହିଛି । ତେଣୁ ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ବ୍ୟକ୍ତିଗତସ୍ତରରେ ଆମକୁ କେତୋଟି ବିଷୟରେ ସଜାଗ ହେବାକୁ ପଡିବ । ସେଗୁଡିକ ହେଲା- ୧.ଗତ ବାତ୍ୟାର ଅନୁଭୂତିକୁ ମନେପକାନ୍ତୁ । କଣ କଣ ଆଗୁଆ ପଦକ୍ଷେପ ନେଇଥିଲେ କେତେକ ଅସୁବିଧାକୁ ଟାଳି ହୋଇଥାନ୍ତା ବୋଲି ସେତେବେଳେ ଆପଣଙ୍କ ମନକୁ ଆସିଥିଲା ତାକୁ ମନେପକାନ୍ତୁ ଏବଂ ଏବେ ତାହା ଆଗୁଆ କରିବା ପାଇଁ ଚେଷ୍ଟା କରନ୍ତୁ । ୨.ଦୁର୍ବଳ ଘରେ ରହୁଥିଲେ ସୁରକ୍ଷିତ ସ୍ଥାନ ବା ବାତ୍ୟା ଆଶ୍ରୟସ୍ଥଳକୁ ଚାଲିଯାଆନ୍ତୁ । ୩.ପରିବାରର ସମସ୍ତେ ଏକାଠି ରହିବା ପାଇଁ ଚେଷ୍ଟା କରନ୍ତୁ । ୪.ଅତି ଜରୁରୀ ନଥିଲେ ଦୂରସ୍ଥାନକୁ ଯାତ୍ରା କରନ୍ତୁନାହିଁ । ୫.ପାଓ୍ବାର କଟ୍ ହେବାର ସମ୍ଭାବନା ଥିବାରୁ ଘରେ ମହମବତୀ, କିରୋସିନି ମହଜୁଦ ରଖନ୍ତୁ । ଚାର୍ଜର ଲାଇଟ୍ ଥିଲେ ଫୁଲ୍ ଚାର୍ଜ କରି କରନ୍ତୁ । ମୋବାଇଲକୁ ମଧ୍ୟ ଫୁଲ୍ ଚାର୍ଜ କରି ରଖନ୍ତୁ । ୬.ଜରୁରୀ ଔଷଧ, ଶୁଖିଲା ଖାଦ୍ୟ ଏବଂ ଦିନେ ଦୁଇ ଦିନ ପାଇଁ ରାସନ କିଣି ପାଖରେ ମହଜୁଦ ରଖନ୍ତୁ । ୭.ବନ୍ୟା ଓ ବାତ୍ୟା ସମୟରେ ବିଷଧର ସରିସୃପ ବାହାରକୁ ବାହାରିଥାନ୍ତି ଓ ଘର ଭିତରକୁ ମଧ୍ୟ ପଶି ଯାଇପାରନ୍ତି ସେଥିପାଇଁ ସତର୍କ ରୁହନ୍ତୁ । ୮.ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଉପଦେଶକୁ ମାନନ୍ତୁ । ଜରୁରୀକାଳୀନ ଟେଲିଫୋନ ନମ୍ବର ପାଖରେ ରଖନ୍ତୁ । ନିୟମିତ ବାତ୍ୟା ସଂପର୍କୀତ ଅପଡେଟ୍ ଖବର ରଖିବାକୁ ଚେଷ୍ଟା କରନ୍ତୁ । ୯.ଗୃହପାଳିତ ପଶୁମାନଙ୍କୁ ଗୁହାଳରେ ନବାନ୍ଧି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ  ଓ ଦିନେ ଦୁଇ ଦିନ ପାଇଁ ସେମାନଙ୍କ ଲାଗି ଖାଦ୍ୟ ମହଜୁଦ ରଖନ୍ତୁ । ୧୦.ପ୍ରଚୁର ପରିମାଣର ବିଶୁଦ୍ଧ ପାନୀୟଜଳ ମଧ୍ୟ ଘରେ ମହଜୁଦ ରଖନ୍ତୁ । ୧୧.ଘରେ ପାମି ପଶିବାର ସମ୍ଭାବନା ଥିଲେ ଜରୁରୀ କାଗଜପତ୍ର ଏବଂ ଟଙ୍କାପଇସା ଜରିରେ ଭର୍ତ୍ତି କରି ଉଚ୍ଚସ୍ଥାନରେ ରଖନ୍ତୁ । ଏଟିଏମରୁ କିଛି ନଗଦ ଟଙ୍କା ବାହାର କରି ନିଜ ପାଖରେ ରଖନ୍ତୁ । ୧୨.ଗାଡି ମଟର ଥିଲେ ସେଥିରେ ପେଟ୍ରୋଲ, ଡିଜେଲ ଭର୍ତ୍ତି କରି ରଖନ୍ତୁ । ଆବଶ୍ୟକତା ଦୃଷ୍ଟିରୁ ଯାତାୟତ କରୁଥିବା ବେଳେ ଜୋରରେ ପବନ ବହିଲେ ଗଛ ବା ଖୁଣ୍ଟଠାରୁ ଦୂରକୁ ପଳାନ୍ତୁ । ୧୩.ସାହିପଡିଶାଙ୍କ ସହ ଯୋଗାଯୋଗରେ ରୁହନ୍ତୁ । ଏହି ସମୟରେ ଗୁଜବ ଉଠିବାର ଆଶଙ୍କା ରହିଥାଏ ତେଣୁ ଗୁଜବକୁ ବିଶ୍ବାସ କରନ୍ତୁନାହିଁ । ୧୪.କୌଣସି କଥାରେ ବିଶେଷ ଭୟଭୀତ ନହୋଇ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରନ୍ତୁ । ୧୫.ବାତ୍ୟା ଦେଖିବା ପାଇଁ ଉତ୍ସୁକ ହୋଇ ସମୁଦ୍ରକୂଳକୁ ଯାଆନ୍ତୁନାହିଁ । ପବନର ବେଗ ବଢିଲେ ଘରର ଝରକା କବାଟ ଭଲଭାବେ ବନ୍ଦ କରି ରଖନ୍ତୁ । ଘରକୁ ଲାଗି ଦୁର୍ବଳ ଗଛ ଥିଲେ ତାହା ଯେମିତି ଭାଙ୍ଗି ନଯାଏ ସେଥିପ୍ରତି ସଜାଗ ରୁହନ୍ତୁ । ଗଛକୁ ଶକ୍ତ ଦଉଡିରେ ଚାରିପଟୁ ବାନ୍ଧି ରଖନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.