ଭୁବନେଶ୍ୱର ୦୬।୦୬ : ସଜେଇ ହେଉଛି ଜନତା ମଇଦାନ । ରାଜ୍ୟରେ ଆଗାମୀ ସରକାରର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସଜେଇ ହେଉଛି ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ।
ଖବର ଅନୁଯାୟୀ, ଆସନ୍ତା ୧୦ ତାରିଖରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି । ଏଥି ପାଇଁ ଜନତା ମଇଦାନରେ ଚାଲିଛି ପ୍ରସ୍ତୁଛି । ପ୍ରଶାସନ ପକ୍ଷରୁ ଜୋରଦାର ଚାଲିଛି କାମ । ମୁଖ୍ୟ ମଞ୍ଚ ସହ ୩୦ ହଜାରରୁ ଅଧିକ ଲୋକଙ୍କ ପାଇଁ ହେଉଛି ବ୍ୟବସ୍ଥା । ଜନତା ମଇଦାନକୁ ସଫା ସୁତୁରା ସହ ମଞ୍ଚର ବି ପ୍ରସ୍ତୁତି ଚାଲିଛି । ପୂର୍ତ୍ତ ବିଭାଗର ଅଧିକାରୀମାନେ ଚାଲିଥିବା କାମର ତଦାରଖ କରୁଛନ୍ତି । ପାର୍କିଂ ବ୍ୟବସ୍ଥାଠୁ ଆରମ୍ଭ କରି ଯିବା ଆସିବା ଏବଂ ସିଟିଂ ବ୍ୟବସ୍ଥା କରାଯାଉଛି । ତେବେ ଶପଥ ଗ୍ରହଣରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇପାରନ୍ତି । ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିଛି । ମୋଟ ୧୪୭ ଆସନରୁ ୭୮ ସିଟ୍ରେ ବିଜୟୀ ହୋଇଛି ବିଜେପି । ଆଉ ସରକାର ଗଢିବା ପାଇଁ ଚାଲିଛି ଯୋଜନା । ହେଲେ ଏବେ ଯାଏଁ ଓଡିଶାର କିଏ ମୁଖ୍ୟମନ୍ତ୍ରୀ ହେବ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ବିଜେପି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ କିଏ ହେବ । ସେନେଇ ସ୍ପଷ୍ଟ ସୂଚନା ମିଳିବ ।