HIV ଔଷଧ ୪୮ ଘଣ୍ଟାରେ ସୁସ୍ଥ କଲା କରୋନା ଆକ୍ରାନ୍ତଙ୍କୁ: ଥାଇଲାଣ୍ଡ

Published By : Prameya-News7 Bureau | February 06, 2020 IST

ଥାଇଲାଣ୍ଡ ୬।୨: କରୋନା ଭାଇରସ ସଂକ୍ରମଣ ପରଠାରୁ ଚୀନରେ ଏପର୍ଯ୍ୟନ୍ତ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏବେ ଭୂତାଣୁର ମୁକାବିଲା କେବଳ ଚୀନ ନୁହେଁ ସମଗ୍ର ବିଶ୍ୱ ଲାଗି ଚାଲେଞ୍ଜ ପାଲଟିଛି। ହେଲେ ମାରାତ୍ମକ ଭୂତାଣୁର ମୁକାବିଲା ଲାଗି ଏପର୍ଯ୍ୟନ୍ତ କେହି ସଫଳ ହୋଇ ନାହାନ୍ତି। ହେଲେ ଥାଇଲ୍ୟାଣ୍ଡ ସରକାରଙ୍କ ଦାବି ଏବେ ସମସ୍ତଙ୍କୁ ଚକିତ କରିଛି। ଏଚଆଇଭି ଲାଗି ବ୍ୟବହୃତ ହେଉଥିବା ଔଷଧ ସଂକ୍ରମିତଙ୍କୁ ୪୮ ଘଣ୍ଟାରେ ସୁସ୍ଥ କରିଦେଉଥିବା ଥାଇଲ୍ୟାଣ୍ଡ ସରକାର ଦାବି କରିଛନ୍ତି।

ଥାଇଲ୍ୟାଣ୍ଡରେ ଜନୈକ କରୋନା ସଂକ୍ରମିତଙ୍କ ଉପରେ କରାଯାଇଥିବା ଏହି ପ୍ରୟୋଗ ସଫଳ ହୋଇଥିବା ଡ଼ାକ୍ତରମାନେ ଦାବି କରିଛନ୍ତି। ଅସୁସ୍ଥ ବ୍ୟକ୍ତି ଜଣକ କ୍ୟାବ୍ ଡ୍ରାଇଭର ଭାବେ କାମ କରନ୍ତି । କିଛି ଦିନ ତଳେ ଚୀନ ପର୍ଯ୍ୟଟକଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ସେ କରୋନା ସଂକ୍ରମଣର ଶିକାର ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତରମାନେ ତାଙ୍କଠାରେ ଏଚଆଇବି ମେଡିସିନ ପ୍ରୟୋଗ କରିଥିଲେ।

କରୋନା ଭୂତାଣୁ ଓ HIV ମଧ୍ୟରେ ସାମାନ୍ୟ ଅନ୍ତର ଥାଇପାରେ ବୋଲି ଡାକ୍ତରମାନେ ଅନୁମାନ କରୁଛନ୍ତି । ତେଣୁ  HIV ସଂକ୍ରମଣରେ ଜ୍ୱର ଲାଗି ଦିଆଯାଉଥିବା ଔଷଧକୁ ଡାକ୍ତରମାନେ କ୍ୟାବ୍ ଡ୍ରାଇଭରଙ୍କୁ ଦେଇଥିଲେ। ପରେ ତାଙ୍କୁ ପରୀକ୍ଷା କରାଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି। ତେବେ ଡାକ୍ତରମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଯେଉଁ ମକଟେଲ ପ୍ରସ୍ତୁତ କରିଥିଲେ ସେଥିରେ HIV ପ୍ରତିରୋଧକ ଔଷଧ, flu oseltamivir, ଆଣ୍ଟି ଡ୍ରଗ୍ସ, ରଟନବିର ଓ ଲୋପିନବୀର ମିଶାଇ ଦ୍ରବଣ ପ୍ରସ୍ତୁତ କରିଥିଲେ। ଆକ୍ରାନ୍ତଙ୍କୁ ଏହି ମକଟେଲ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । ଯୁବକଙ୍କ ମେଡିକାଲ ପରୀକ୍ଷଣ କରାଯାଇଥିଲା । ପରୀକ୍ଷାରେ ନେଗେଟିଭ ପାଇବାରୁ ତାଙ୍କୁ ହସ୍ପିଟାଲ ଛାଡିବାକୁ ଅନୁମତି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.