ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କୁ ଝଟକା, ପାର୍ଟି ମୁଖପାତ୍ରଙ୍କ ସହ ୨୦୦ କାର୍ଯ୍ୟକର୍ତ୍ତାଙ୍କ ଇସ୍ତଫା

Published By : Prameya-News7 Bureau | November 30, 2024 IST

ମୁଜଫରପୁର ୩୦।୧୧: ବିହାର ରାଜନୀତିକୁ ପ୍ରବେଶ ଉଦ୍ୟମ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ଶନିବାର ଝଟକା ଲାଗିଛି। ଆଗାମୀ ବର୍ଷ ହେବାକୁ ଯାଉଥିବା ବିହାର ବିଧାନସଭା ନିର୍ବାଚନରେ ସବୁ ଆସନରେ ପ୍ରାର୍ଥୀ ଦେବାକୁ ଉଦ୍ୟମ କରୁଥିବା ଜନସୁରାଜ ପାର୍ଟିର ମୁଖପାତ୍ରଙ୍କ ସମେତ ୨୦୦ କାର୍ଯ୍ୟକର୍ତ୍ତା ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ କାର୍ଯ୍ୟକର୍ତ୍ତାମାନେ ପାର୍ଟି ଛାଡିବା ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି।  

ନଭେମ୍ବର ୨୨ ତାରିଖ ଦିନ ପ୍ରଶାନ୍ତ କିଶୋର ତିରହୁତ ସ୍ନାତକ ନିର୍ବାଚନଣ୍ଡଳି ଲାଗି ଏମଏଲସି ପ୍ରାର୍ଥୀ ଡ.ବିନାୟକ ଗୌତମଙ୍କ ନିର୍ବାଚନ ପ୍ରଚାରକୁ ଯାଇଥିଲେ। ମୁଜଫରପୁର ଚନ୍ଦ୍ରହଠିରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଜଣେ କାର୍ଯ୍ୟକର୍ତ୍ତା ମାଇକ୍ ନେଇ ନିଜ ବକ୍ତବ୍ୟ ରଖିଥିଲେ। ତେବେ ପ୍ରଶାନ୍ତ କିଶୋର ତାଙ୍କୁ ବାରମ୍ବାର ବସିବାକୁ କହୁଥିଲେ। ହେଲେ କାର୍ଯ୍ୟକର୍ତ୍ତା ଜଣକ ପ୍ରଶାନ୍ତ କିଶୋରଙ୍କ ଇଶାରାକୁ ଦେଖି ଅଣଦେଖା କରୁଥିଲେ ଓ ନିଜ ବକ୍ତବ୍ୟ ଦେଇଚାଲିଥିଲେ। 

କାର୍ଯ୍ୟକର୍ତ୍ତାଙ୍କ ଆଚରଣରେ ପ୍ରଶାସନ୍ତ କିଶୋର ରାଗରେ ଲାଲ ହୋଇଯାଇଥିଲେ ଓ କାର୍ଯ୍ୟକର୍ତ୍ତାଙ୍କ ଠାରୁ ମାଇକ୍ ଛଡାଇ ଏହା ଆରଜେଡି ନୁହେଁ ଏଠାରୁ ଯାଅ କହି ତାଙ୍କୁ ବିଦା କରିଦେଇଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ଥିବା ଲୋକେ ଘଟଣାରେ ଆଶ୍ଚର୍ଯ୍ୟ ହୋଇଥିଲେ ଓ କୌଣସି ପ୍ରକାର ମାମଲାକୁ ସେହିଠାରେ ରଫାଦଫା କରିଦିଆଯାଇଥିଲା। ହେଲେ ଏହାର ପାର୍ଶ୍ୱପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି। ପ୍ରଶାନ୍ତ କିଶୋରଙ୍କ କଥାରେ ମର୍ମାହତ ଜନସୁରାଜ ପାର୍ଟିର ମୁଖପାତ୍ର ଜାଭେଦ ଅଖତାର ଓରଫ ଗୁଡ୍ଡୁ ଶନିବାର ୨ଶହ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ନେଇ ପାର୍ଟି ଛାଡିବା ଘୋଷଣା କରିଛନ୍ତି। 

ପାର୍ଟିରୁ ଇସ୍ତଫା ପରେ ଜାଭେଦ ଅଖତାର ଓ କାର୍ଯ୍ୟକର୍ତ୍ତାମାନେ ପ୍ରଶାନ୍ତ କିଶୋରଙ୍କ କୁଶପୁତ୍ତଳିକା ଦାହ କରି ନିଜର ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ କହିଛନ୍ତି ଯେ ଯେଉଁପାର୍ଟିରେ କଥା କହିବାର ଅଧିକାର ନାହିଁ ସେଥିରେ ରହିବା କୌଣସି ପରିପ୍ରେକ୍ଷିରେ ମଧ୍ୟ ଉଚିତ ନୁହେଁ। ବିଧାନସଭା ନିର୍ବାଚନରେ ସବୁ ଆସନରୁ ପ୍ରାର୍ଥୀ ଦେବା କଥା କହୁଥିବା ପ୍ରଶାନ୍ତ କିଶୋର ନିକଟରେ ଅନୁଷ୍ଠିତ ଉପ ନିର୍ବାଚନରେ ହିଁ ବିଫଳ ହୋଇଛନ୍ତି। ତରିବରିଆ ଭାବେ ୪ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସମସ୍ତେ ପରାସ୍ତ ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.