ରାହୁଲ ଗାନ୍ଧିଙ୍କ ମାମଲାରେ ବିଜେପିକୁ ଟାର୍ଗେଟ୍ କଲେ ପ୍ରଶାନ୍ତ କିଶୋର, କହିଲେ ମନେ ପକାଅ ଅଟଳଜୀଙ୍କ କବିତା
25/03/2023 at 4:45 PM

ନୂଆଦିଲ୍ଲୀ ୨୫।୩: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏବେ ବିହାରରେ ‘ଜନ ସୁରାଜ’ ଯାତ୍ରା କରୁଛନ୍ତି। ଏହି ଯାତ୍ରାରେ ସେ ବିହାର ସାରଣ ଜିଲ୍ଲାରେ ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପ୍ରସଙ୍ଗରେ ସେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ସେ କହିଛନ୍ତିଯେ ଆଇନ ପ୍ରକ୍ରିୟାକୁ ସମ୍ମାନ କରି ୨ ବର୍ଷର ଦଣ୍ଡ ବହୁତ ଅଧିକ। ରାଜନୀତିରେ ଏପରି ବୟାନବାଜୀ ହୋଇଥାଏ। ଏଣୁ ବିଜେପି ଲୋକଙ୍କୁ ସେମାନଙ୍କ ନେତା ଅଟଳ ବିହାରୀ ବାଜପେୟୀଙ୍କ ପଙକ୍ତି ‘ଛୋଟ ମନରେ କେହି ବଡ ହୁଏ ନାହିଁ’ ମନେ ପକାଇବା ଦରକାର ବୋଲି କହିଛନ୍ତି।

ପ୍ରଶାନ୍ତ କିଶୋର କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ମାମଲାରେ ୨ ବର୍ଷର ଦଣ୍ଡ ବହୁତ ଅଧିକ। ଭାରତୀୟ ରାଜନୀତିରେ ନେତା ମଞ୍ଚ ଉପରୁ ଏପରି ବାଦ-ବିବାଦ ଓ ଟିକ୍କା ଟିପ୍ପଣୀ କରିଥାନ୍ତି। ଭାରତୀୟ ଗଣତନ୍ତ୍ରରେ ଏହା ପ୍ରଥମ ଘଟଣା ନୁହେଁ କି ଶେଷ ବି ନୁହେଁ। ତେବେ ଦେଶର ଆଇନ ବ୍ୟବସ୍ଥାକୁ ସେ ସମ୍ମାନ କରନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଏହି ଅବସରରେ ପ୍ରଶାନ୍ତ କିଶୋର କଂଗ୍ରେସକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଲୋକଙ୍କୁ ଏହା ଜଣା ନାହିଁ ସେମାନେ କେଉଁ ଲଢେଇ ଲଢୁଛନ୍ତି।

ଯଦି କଂଗ୍ରେସକୁ ଲଢେଇ ଲଢିବାର ଅଛି ତେବେ ମାଟି ଉପରେ ଗାଁରେ ସଡକକୁ ଓହ୍ଲାଇବାକୁ ପଡିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ସେ କହିଛନ୍ତି ଯେ ଗତକାଲି ମୁଁ ୨୦ କିଲୋମିଟର ପଦଯାତ୍ରା କରିଥିଲି। ହେଲେ କେଉଁଠାରେ ବି କଂଗ୍ରେସ ନେତା ଅଥବା କର୍ମୀଙ୍କୁ ଗାଁ ଲୋକଙ୍କୁ ରାହୁଲଙ୍କ ସହ ଯାହା ହୋଇଛି ଭୁଲ ହୋଇଛି ବୋଲି ବୁଝାଉଥିବାର ଦେଖି ନାହିଁ ବୋଲି କହିଛନ୍ତି। ଯେଉଁ ପର୍ଯ୍ୟନ୍ତ ବିରୋଧୀ ଦଳ ଲଢେଇକୁ ନିର୍ବାଚନ ଫଳାଫଳରେ ନ ଦେଖିଛି ସେ ପର୍ଯ୍ୟନ୍ତ କେହି ତୁମକୁ ଗରୁତ୍ୱର ସହ ଗ୍ରହଣ କରିବେ ନାହିଁ ବୋଲି ପ୍ରଶାନ୍ତ କିଶୋର କଂଗ୍ରେସକୁ କହିଛନ୍ତି।