୨୦୨୪ ଲୋକସଭା ନିର୍ବାଚନରେ ନୀତୀଶ-ତେଜସ୍ୱୀ ମେଣ୍ଟର କ'ଣ ପଡିବ ପ୍ରଭାବ ? ଜାଣନ୍ତୁ କ'ଣ କହିଲେ ପ୍ରଶାନ୍ତ କିଶୋର

Published By : Prameya-News7 Bureau | August 10, 2022 IST

ନୂଆଦିଲ୍ଲୀ: ବିହାରରେ ନୀତୀଶ କୁମାର ଏନଡିଏ ମେଣ୍ଟ ଭାଙ୍ଗି ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଏହାରି ଭିତରେ ନିର୍ବାଚନ ରଣନୀତିକାର ଏବଂ ବିହାର ରାଜନୀତି ଉପରେ ଗଭୀର ଭାବେ ନଜର ରଖୁଥିବା ପ୍ରଶାନ୍ତ କିଶୋର ନୂଆ ମେଣ୍ଟ ସରକାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏଡିଟିଭିକୁ ପ୍ରଶାନ୍ତ କହିଛନ୍ତି, ୨୦୨୪ ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ କି ନାହିଁ ତାହା ଏହି ମେଣ୍ଟ ସରକାରର କାମ ଉପରେ ନିର୍ଭର କରିବ । ଯଦି ଏହି ସରକାର ଭଲ କାମ କରେ ତେବେ ଶକ୍ତି ବଢିବ, ଯଦି ସରକାର ଠିକ ଭାବେ ନ ଚାଲେ ତେବେ ଏହାର କ୍ଷତି ସହିବାକୁ ପଡିବ ।

୨୦୧୫ ଏବଂ ଆଜିର ମେଣ୍ଟ ସରକାର ମଧ୍ୟରେ ଆକାଶ ପାତାଳର ଫରକ ରହିଛି । ୨୦୧୫ରେ ଏକ ରାଜନୈତିକ ଏବଂ ଶାସକୀୟ ଉଭୟ ଦିଗରୁ ଏକ ନୂଆ ପ୍ରୟୋଗ କରାଯାଇଥିଲା । ଏହି ପ୍ରୟୋଗକୁ ଲୋକଙ୍କ ପାଖରେ ପହଞ୍ଚାଯାଇଥିଲା । ଲୋକେ ମଧ୍ୟ ଏହା ସପକ୍ଷରେ ମତ ଦେଇଥିଲେ ଏବଂ ପୁଣି ଥରେ ସରକାର ହୋଇଥିଲା । ଏବେ ସ୍ଥିତି ଏପରି ନାହିଁ । ୨୦୨୦ରେ ମହାମେଣ୍ଟ ଯେଉଁ ଫର୍ମେଶନରେ ନିର୍ବାଚନ ଲଢିଥିଲା ତାକୁ ଲୋକେ ଗ୍ରହଣ କଲେ ନାହିଁ । ଏନଡିଏକୁ ଜନମତ ମିଳିଥିଲା । ବର୍ତ୍ତମାନ ଏକ ନୂଆ ସମୀକରଣ ସୃଷ୍ଟି ହୋଇଛି । ଏହା ପୂର୍ବଠାରୁ ଅଲଗା । ୨୦୧୫ରେ ଏକ ରାଜନୀତି ମାହୋଲ ଏବଂ ଏକ ଭିନ୍ନ ପ୍ରୟୋଗ ଭାବେ ଦେଖାଯାଉଥିଲା । ୨୦୧୫ରେ ତିନୋଟି ଦଳର ମହାମେଣ୍ଟ ଥିଲା, ବର୍ତ୍ତମାନ ୭ଟି ଦଳର ମେଣ୍ଟ । ୨୦୧୫ରେ ମହାମେଣ୍ଟ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିଥିଲା । କିନ୍ତୁ ବର୍ତ୍ତମାନ ଜନତାଙ୍କ ଦ୍ୱାରା ନିର୍ବାଚିତ ହେବା ପରେ ବିଚାର-ବିମର୍ଷ କରି ଏକ ରାଜନୈତିକ ବୁଝାମଣା ହୋଇଛି ।

ଏହାସହ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ନୀତୀଶ କୁମାର ନିଜର ପିଚ୍ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ଉପରେ ମଧ୍ୟ ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ହେବା ଦୂରର କଥା, ପିଏମ ପ୍ରାର୍ଥୀ ହେବା ପାଇଁ ମଧ୍ୟ ଲୋକପ୍ରିୟତା ଦରକାର । ୨୦୧୦ର ନୀତୀଶ କୁମାର ଏବଂ ଆଜିର ସମୟରେ ବହୁ ବ୍ୟବଧାନ ରହିଛି । ୨୦୧୦ରେ ତାଙ୍କ ପାଖରେ ୧୧୭ ବିଧାୟକ ଥିଲେ, ୨୦୧୫ରେ ୭୨ ଏବଂ ଏବେ  କେବଳ ୪୦ରୁ ଅଧିକ ବିଧାୟକ ଅଛନ୍ତି । ଯେଉଁମାନେ ପିଏମ କଥା କହୁଛନ୍ତି, ସେମାନେ ଜାଣି ରଖିବା ଦରକାର ଯେ ସଂଖ୍ୟା ଏହା କହୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.