ନବ ଦାସ ବିଜେଡିରେ ଯୋଗ ଦେବା ପୂର୍ବରୁ ଝାରସୁଗୁଡାରେ ଦଳୀୟ ନେତାଙ୍କୁ ବୁଝେଇବା ପାଇଁ ଆସନ୍ତାକାଲି ପ୍ରଣବ ପ୍ରକାଶ ଦାସ ଯିବେ ଝାରସୁଗୁଡା

Published By : Prameya-News7 Bureau | January 16, 2019 IST

ଭୁବନେଶ୍ବର ୧୫|୧: ନବ ଦାସ ଆଜି କଂଗ୍ରେସ ଛାଡିଛନ୍ତି । ଆସନ୍ତା ୨୪ ତାରିଖରେ ବିଜେଡିରେ ଯୋଗ ଦେବେ । ତେବେ ନବ ଦାସ ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଝାରସୁଡାର ମୂଳ ବିଜେଡି କେତେ ଦୂର ଗ୍ରହଣ କରିବ ତାକୁ ନେଇ ତିଆରି ହୋଇଛି ବଡ ପ୍ରଶ୍ନ ।

ଝାରସୁଗୁଡା ଜିଲ୍ଲାରେ ବିଜେଡିର ତୁଙ୍ଗ ନେତା କହିଲେ ପଶ୍ଚମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କୁ ବୁଝାଏ । କିନ୍ତୁ ନବଙ୍କ ବିଜେଡିରେ ଦେବା ସମ୍ପର୍କରେ କିଶୋର ମହାନ୍ତିଙ୍କୁ ଦଳ କେତେଦୂର ବିଶ୍ବାସକୁ ନେଇଛନ୍ତି ତା ଉପରେ ନିର୍ଭର କରୁଛି ଅନେକ କଥା ।

ନବ ଦାସ ବିଜେଡିରେ ଯୋଗ ଦେବେ ବୋଲି ସ୍ପଷ୍ଟ ହେବା ପରେ କିଶୋର ମହାନ୍ତି କହିଥିଲେ ଯେ, ଏକଦା ଝାରସୁଗୁଡାରେ ବିଜେଡିର ଝଂଡା ଧରିବାକୁ କେହି ରହିବେ ନାହିଁ ବୋଲି ବାହାସ୍ପୋଟ ମାରୁଥିବା ନବ ଦାସ ଯଦି ଏବେ ବିଜେଡି ଝଂଡା ଧରିବାକୁ ଆସୁଛନ୍ତି ତାହା ଭଲ କଥା । କିଶୋର ମହାନ୍ତିଙ୍କ ଏହି ଉକ୍ତି କଟାକ୍ଷରେ ଭର୍ତ୍ତି ଥିଲା । ତେଣୁ ନବ ଦାସଙ୍କୁ ଝାରସୁଗୁଡାର ବିଜେଡି କିଭଳି ଗ୍ରହଣ କରିବ ସେ ସମସ୍ୟାର ସମାଧାନ ଦାୟିତ୍ବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦିଆଯାଇଛି ।

କିଶୋର ମହାନ୍ତି ଏବଂ ଅନ୍ୟ ନେତଙ୍କୁ ମନେଇବା ପାଇଁ ଆସନ୍ତା କାଲି ସେ ଝାରସୁଗୁଡା ଯାଉଥିବା ମଧ୍ୟ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, କିଶୋର ମହାନ୍ତି ଝାରସୁଗୁଡା ନିର୍ବାଚନମଣ୍ଡଳିରୁ ବରାବର ବିଜେଡିର ପ୍ରର୍ଥୀ ହୋଇ ଆସୁଥିଲେ । ନବ ଦାସଙ୍କ ସହ ତାଙ୍କର ନିର୍ବାଚନ ମଇଦାନରେ ଟକ୍କର ହେଉଥିଲା । କହିବାକୁ ଗଲେ ଉଭୟେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ । ଏବେ ନବ ଦାସ ବିଜେଡିରେ ଯୋଗ ଦେବାପରେ ଦଳ ନବଙ୍କୁ ଝାରସୁଗୁଡାରୁ ପ୍ରର୍ଥୀ ନିଶ୍ଚୟ କରିବ । ଏଭଳି କ୍ଷେତ୍ରରେ କିଶୋର ମହାନ୍ତିଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ସୃଷ୍ଟି ହେବ । ଅବଶ୍ୟ କିଶୋର ମହାନ୍ତିଙ୍କୁ ବରଗଡ ସାଂସଦ ପ୍ରାର୍ଥୀ କରାଯାଇପାରିବ ବା ତାଙ୍କୁ ବ୍ରଜରାଜନଗର ବିଧାନସଭା ଆସନ ମଧ୍ୟ ଦିଆଯାଇପାରିବ । ତେବେ ଉଭୟ କ୍ଷେତ୍ରରେ କିଶୋର ମହାନ୍ତିଙ୍କର ହିଁ କ୍ଷତି ହେବ ବୋଲି ଆଲୋଚନା ହେଉଛି ।

ଆଉ ଏକ ସମସ୍ୟା ହେଉଛି ଅନୁପ ସାଏଙ୍କୁ ନେଇ । ଅନୁପ ସାଏ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ତାଙ୍କୁ ୨୦୧୪ ମସିହାରେ ବ୍ରଜରାଜନଗର ଆସନରୁ ପ୍ରାର୍ଥୀ କରାଯାଇଥିଲା । ବିଜେପିର ରାଧାରାଣୀ ପଣ୍ଡାଙ୍କଠାରୁ ସେ ପରାଜିତ ହୋଇଥିଲେ । ଚଳିତ ଥର ତାଙ୍କୁ ଯଦି ବ୍ରଜରାଜନଗର ଆସନରୁ ଟିକଟ ନମିଳେ ସେ ମଧ୍ୟ ଅସନ୍ତୁଷ୍ଟ ହୋଇପାରନ୍ତି ।

ସବୁଠୁ ବଡ କଥା ହେଉଛି ନବ ଦାସ ବିଜେଡିକୁ ଆସିବା ପରେ ଦଳ ଭିତରେ ଗୋଷ୍ଠୀକନ୍ଦଳ ଉଗ୍ରରୂପ ନେବ ଏହା ନିଃସନ୍ଦେହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.