ଓସିଏ ସଭାପତି ଭାବେ ନୂଆ ଇନିଂସ ଆରମ୍ଭ କଲେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ବେହେରା ପୁନଃ ସମ୍ପାଦକ ନିର୍ବାଚିତ

Published By : Prameya-News7 Bureau | October 21, 2022 IST

କଟକ: ଓସିଏ ସଭାପତି ଭାବେ ନୂଆ ଇନିଂସ ଆରମ୍ଭ କଲେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ। ସେହିପରି ସଞ୍ଜୟ ବେହେରା ପୁଣି ଓସିଏ ସମ୍ପାଦକ ଓ ପଙ୍କଜ ଲୋଚନ ମହାନ୍ତି ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। କାରଣ ମୁଖ୍ୟ ବିରୋଧି ଗୋଷ୍ଠୀ ନବ କିଶୋର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ଡାକି ମୁଖ୍ୟମନ୍ତ୍ରୀ ଓ ବବି ଦାସଙ୍କୁ ସମର୍ଥନ ଜଣାଇ ତାଙ୍କ ଗୋଷ୍ଠୀର କେହି ନାମାଙ୍କନ କରିବେ ନାହିଁ ବୋଲି ଘୋଷଣା କରିବା ପରେ ସମସ୍ତେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ସେପଟେ ରାଜନୈତିକ ବ୍ୟକ୍ତି କ୍ରୀଡା ସଙ୍ଗଠନ ସହ ସମ୍ପୃକ୍ତ ହେବା ନେଇ ବିଜେପି ଅଭିଯୋଗକୁ ଅତି ହାଲୁକା ଭାବେ ଗ୍ରହଣ କରିଛନ୍ତି ଓସିଏର ବରିଷ୍ଠ ସଦସ୍ୟ ଆଶୀର୍ବାଦ ବେହେରା।

ଓଡିଶା କ୍ରିକେଟ ଆସୋସିଏସନରେ ଏଣ୍ଟ୍ରି ମାରିଲେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ। ଆଜି ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଥିବା ବେଳେ, ସଭାପତି ପଦ ପାଇଁ କେବଳ ପ୍ରଣବ ପ୍ରକାଶ ଦାସ ହିଁ ନାମାଙ୍କନ ଦାଖଲ କରିଛନ୍ତି। ତେଣୁ ପ୍ରଣବ ଓସିଏ ସଭାପତି ଭାବେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ସେପଟେ ସମ୍ପାଦକ ପ୍ରାର୍ଥୀ  ଭାବେ ପୂର୍ବତନ ସମ୍ପାଦକ ସଞୟ ଵେହେରା ଓ ଉପସଭାପତି ପ୍ରାର୍ଥୀ ଭାବେ ପଙ୍କଜ ଲୋଚନ ମହାନ୍ତି ଜଣେ ଲେଖାଏଁ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଣୁ ଏହି ତିନି ଜଣ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି।

ସେପଟେ ସବୁ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ନେଇ ଆଜି ଅପରାହ୍ନରେ ସ୍ପଷ୍ଟ ହୋଇଯାଇଥିଲା। ଆଜି ଅପରାହ୍ନରେ ଓସିଏ ର ଅନ୍ୟତମ ସଦସ୍ୟ ତଥା ଆଶୀର୍ବାଦଙ୍କ ବିରୋଧୀ ଗୋଷ୍ଠୀ ନବ କିଶୋର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ପ୍ୟାନେଲରୁ କେହି ନାମାଙ୍କନ କରିବେ ନାହିଁ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଓ ବବି ଦାସଙ୍କ କ୍ରୀଡା ଭିଜନକୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପଟେ କ୍ରୀଡା ସଙ୍ଗଠନରେ ରାଜନୈତିକ ଲୋକ ପ୍ରବେଶ କରିବା ନେଇ ବିଜେପିର ଅଭିଯୋଗ ସମ୍ପର୍କରେ ମଧ୍ୟ ଜବାବ ରଖିଛନ୍ତି ଆଶୀର୍ବାଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.