ଗଭୀର କୋମାରେ ପ୍ରଣବ ମୁଖାର୍ଜୀ: ଆର୍ମି ହସ୍ପିଟାଲ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟରେ ସୁଧାର ହୋଇନି। ଅପରପକ୍ଷେ ସେ ଗଭୀର କୋମାକୁ ଚାଲିଯାଇଥିବା  ଦିଲ୍ଲୀ କ୍ୟାଣ୍ଟନମେଣ୍ଟସ୍ଥିତ ଆର୍ମି ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ବୁଧବାର ଜାରି ମେଡିକାଲ ବୁଲେଟିନରେ କୁହାଯାଇଛି। ମୁଖାର୍ଜୀ କୋଭିଡ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ସେବେଠାରୁ ତାଙ୍କୁ ଜୀବନରକ୍ଷକ ପ୍ରଣାଳୀରେ ରଖାଯାଇଛି।

ଗତ ୧୬ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସୁଧାରକୁ ଅପେକ୍ଷା କରାଯାଇଥିବା ବେଳେ କ୍ରମଶଃ ସେ ଗଭୀର କୋମାକୁ ଚାଲିଯାଇଛନ୍ତି ବୋଲି ମେଡିକାଲ ବୁଲେଟିନରେ ସୂଚିତ କରାଯାଇଛି। ତାଙ୍କ ଫୁସଫୁସ୍‌ ସଂକ୍ରମଣ ଜଣାପଡିବା ପରେ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ। ହେଲେ ଏବେ ତାଙ୍କ କିଡନୀ ମଙ୍ଗଳବାରଠାରୁ କାମ କରିବା ବନ୍ଦ କରିଦେଇଥିବା ବୁଲେଟିନରେ କୁହାଯାଇଛି।

ତଥାପି ମୁଖାର୍ଜୀଙ୍କ କ୍ଲିନିକାଲ ପାରାମିଟର ଏବେବି ଠିକ୍‌ ଥିବା ଡାକ୍ତରମାନେ କହିଛନ୍ତି। ୮୪ ବର୍ଷ ବୟଷ୍କ ମୁଖାର୍ଜୀ ଗତ ଅଗଷ୍ଟ ୧୦ ତାରିଖ ଦିନ ଆର୍ମି ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷଣ ବେଳେ ତାଙ୍କ ମସ୍ତିଷ୍କରେ ରକ୍ତ ଜମିଥିବାର ଜଣାପଡିଥିଲା। ଏଣୁ ତାଙ୍କର ଜରୁରିକାଳୀନ ଜୀବନ ରକ୍ଷକ ଅପରେସନ କରାଯାଇଥିଲା। ଏହି ଅପରେସନ ପରଠାରୁ ସେ ଭେଣ୍ଟିଲେଟରରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେବି ଜଟିଳ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.