ଉତ୍ତରାଖଣ୍ଡ ପରେ ଗୋଆରେ ବି ରିପିଟ୍, ପ୍ରମୋଦ ସାଓ୍ଵନ୍ତ ହେବେ ରାଜ୍ୟର ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 21, 2022 IST

ନୂଆଦିଲ୍ଲୀ ୨୧।୦୩: ଉତ୍ତରାଖଣ୍ଡ ପରେ ଏବେ ଗୋଆରେ ମଧ୍ୟ ବିଜେପି ନିଜର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ଵାସ ପ୍ରକଟ କରିଛି। ଗୋଆ ବିଜେପି ବିଧାୟକ ଦଳ ବୈଠକରେ ପ୍ରମୋଦ ସାଓ୍ଵନ୍ତଙ୍କୁ ବିଧାୟକ ଦଳର ନେତା ଚୟନ କରାଯାଇଛି। ଏଥିସହ ସାଓ୍ଵନ୍ତ କ୍ରମାଗତ ଦ୍ଵିତୀୟ ଥର ଗୋଆର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ଆଜି ବିଜେପି ଉତ୍ତରାଖଣ୍ଡରେ ମଧ୍ୟ ଗତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ହିଁ ନିଜର ବିଧାୟକ ଦଳ ନେତା ଭାବେ ଚୟନ କରିଛି।

କେନ୍ଦ୍ର ମନ୍ତ୍ରୀ ତଥା ଗୋଆ ପାଇଁ ବିଜେପି ପର୍ଯ୍ୟବେକ୍ଷକ ନିଯୁକ୍ତ ନରେନ୍ଦ୍ର ସିଂହ ତୋମାର ସୋମବାର ଏହାର ଘୋଷଣା କରିଛନ୍ତି। ସେ କହିଛନ୍ତି ବିଶ୍ଵଜିତ ରାଣେ ବିଧାୟକ ଦଳର ନେତା ଭାବେ ପ୍ରମୋଦ ସାଓ୍ଵନ୍ତଙ୍କ ନାମରେ ପ୍ରସ୍ତାବ ରଖିଥିଲେ। ସର୍ବସମ୍ମତି କ୍ରମେ ସାଓ୍ଵନ୍ତଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି।

ପ୍ରମୋଦ ସାଓ୍ଵନ୍ତ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଧନ୍ୟବାଦ ଜଣାଉଛି। ମୋ ଉପରେ ଆସ୍ଥା ପ୍ରକଟ କରି ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ସୁଯୋଗ ଦେଇଛନ୍ତି। ମୁଁ ବହୁତ ଖୁସି ଯେ, ଗୋଆବାସୀ ମୋତେ ସ୍ଵୀକାର କରିଛନ୍ତି। ମୁଁ ରାଜ୍ୟର ବିକାଶ ପାଇଁ ଯଥା ସମ୍ଭବ ଚେଷ୍ଟା କରିବି।

ଗୋଆ ବିଧାନସଭା ନିର୍ବାଚନରେ ବିଜେପି ମୋଟ୍ ୪୦ଟି ଆସନରୁ ୨୦ ସିଟ୍ ଜିତି ସବୁଠୁ ଦଳ ହୋଇଥିଲା। ଫଳାଫଳର ୧୧ ଦିନ ପରେ ଆଜି ପାଣାଜିରେ ଆୟୋଜିତ ବିଧାୟକ ଦଳ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.