ବାସ୍ତବ ପ୍ରସଙ୍ଗ ଉପରେ ଗଣମାଧ୍ୟମ ଧ୍ୟାନ ଦେବା ଦରକାର; ପ୍ରମେୟ, ନ୍ୟୁଜ୍ ୭ ଓ ଡିଜିଟାଲ ୱିଙ୍ଗର ଜନ୍ମ ଉତ୍ସବରେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 10, 2022 IST

ଭୁବନେଶ୍ୱର : ଶନିବାର ପ୍ରମେୟ, ନ୍ୟୁଜ୍ ୭ ଏବଂ ଏହାର ଡିଜିଟାଲ ୱିଙ୍ଗର ଜନ୍ମ ଉତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ମୂଲ୍ୟହୀନ ପ୍ରସଙ୍ଗ ପଛରେ ଦୌଡିବା ପରିବର୍ତ୍ତେ ସବୁ ଦାୟିତ୍ୱବାନ ଗଣମାଧ୍ୟମ ସଂସ୍ଥା ଲୋକଙ୍କ ବାସ୍ତବ ସମସ୍ୟ ଉପରେ ଧ୍ୟାନ ଦେବା ଉଚିତ ।

୧୦ ବର୍ଷର ଗୌରବମୟ ଯାତ୍ରା ପୂର୍ତ୍ତି ପାଇଁ ସଂସ୍ଥାକୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାର ଉପସ୍ଥିତି ବ୍ୟାପକ ଏବଂ ଲୋକଙ୍କ ପାଖରେ ପହଞ୍ଚାଉଥିବା ସୂଚନା ଚମତ୍କାର । ବର୍ତ୍ତମାନ ଉଭୟ ଖବର ଉପସ୍ଥାପକ ଏବଂ ଏହାର ଦର୍ଶକ ପାଇଁ ଏହା ଏକ ଜଟିଳ ସମୟ । ଏହି ପ୍ରସଙ୍ଗରେ ଗଣମାଧ୍ୟମର ନୈତିକତାର ମୂଳକୁ ଧରି ରଖିବା, ସତକୁ ଖୋଜିବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକକୁ ପ୍ରୋତ୍ସାହିତ କରି ସଠିକ ମାର୍ଗ ପ୍ରଦର୍ଶନ କରିପାରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା କିପରି ବିକାଶର ପ୍ରଗତି ପଥରେ ଆଗେଇ ଚାଲିଛି ତାହା ଉପରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଦୃଢ ସାମାଜିକ ସୁରକ୍ଷା ପ୍ରଣାଳୀର ପୃଷ୍ଠଭୂମିରେ ଏବେ ଆମେ ଆର୍ଥିକ ବିକାଶ ଦେଖିବାକୁ ଯାଉଛୁ । ନିକଟରେ ଶେଷ ହୋଇଥିବା ମେକ୍ ଇନ ଓଡ଼ିଶାର ତୃତୀୟ ସଂସ୍କରଣରେ ଆମେ ୧୦.୫ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶର ପ୍ରସ୍ତାବ ପାଇଛୁ । ଏହା ରାଜ୍ୟରେ ୧୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବାର ସାମର୍ଥ୍ୟ ରଖିଛି । ଏଥିପାଇଁ ସେ ସମାଜର ପ୍ରତିଟି ବର୍ଗର ଲୋକ ଏବଂ ଗଣମାଧ୍ୟମ ସମର୍ଥନ ଲୋଡିଥିଲେ ।

ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ କାର୍ଯ୍ୟକ୍ରମ ଉଦବୋଧନ ଦେଇ କହିଥିଲେ ଯେ, ଅନେକ ଆହ୍ୱାନ ସତ୍ତ୍ୱେ ସମ୍ୱାଦପତ୍ର ଏବଂ ବୈଦ୍ୟୁତିକ ଗଣମାଧ୍ୟମ ସହ ପାରମ୍ପାରିକ ଗଣମାଧ୍ୟମ ସର୍ବଦା ସମାଜ ପାଇଁ ପ୍ରାସଙ୍ଗିକ ହୋଇ ରହିବ । ସେ କହିଥିଲେ ଯେ ମୁଦ୍ରଣ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆ ସହ କଡ଼ା ପ୍ରତିଯୋଗିତା କରୁଛି । ଏହାସହ ସେ କହିଥିଲେ ଯେ ବିଶ୍ୱସନିୟତାକୁ ବଜାୟ ରଖିବା ପାଇଁ ଯୁବ ସାମ୍ୱାଦିକମାନେ ସବୁ ବେଳେ ସାମ୍ୱାଦିକତାର ନୈତିକ ଅଭ୍ୟାସ ଜାରି ରଖିବା ଦରକାର । ଏହାସହ ସେ ପ୍ରମେୟ ଗ୍ରୁପର ଭବିଷ୍ୟତ ସଫଳ କାମନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.