୧୦ମ ବର୍ଷରେ ପାଦ ଥାପିଲା ଦୈନିକ ଖବର କାଗଜ 'ପ୍ରମେୟ'

Published By : Prameya-News7 Bureau | December 01, 2020 IST

ଭୁବନେଶ୍ୱର ୦୧।୧୨: ଦୈନିକ ଖବର କାଗଜ ପ୍ରମେୟର ପ୍ରଥମ ସଂସ୍କରଣକୁ ଆଜି ୯ବର୍ଷ ବିତିଲା । ୧୦ମ ବର୍ଷରେ ପାଦ ଥାପିଛି ଅଗ୍ରଣୀ ଖବରକାଗଜ ‘ପ୍ରମେୟ‘ । ଏହା ରାଜ୍ୟର ଏକ ଅଗ୍ରଣୀ ତଥା ଲୋକପ୍ରିୟ ଖବରକାଗଜ ଭାବେ ଆଦୃତ ହୋଇଛି ।  ‘ପ୍ରମେୟ‘ ର ପ୍ରତିଷ୍ଠାତ ପ୍ରଫେସର ମନୋଜ ରଞ୍ଜନ ନାୟକ ‘ପ୍ରମେୟ‘ ର ୯ମ ବର୍ଷ ପୂର୍ତ୍ତି ଅବସରରେ ଅଗଣିତ ପାଠକ, ବିଜ୍ଞାପନଦାତା, ହକର, ଡ୍ରିଷ୍ଟିବ୍ରୁଟର , ବିତରକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

{"id":370710,"sizeSlug":"large"}
ପ୍ରଫେସର ଡ. ମନୋଜରଂଜନ ନାୟକ, ପରିଚାଳନା ନିର୍ଦ୍ଦେଶକ

ଦୈନିକ ‘ପ୍ରମେୟ’ର ନବମ ସ୍ୱନକ୍ଷତ୍ର ଅବସରରେ ଆମେ ଆମର ଅଗଣିତ ପାଠକପାଠିକା, ବିଜ୍ଞାପନଦାତା, ପୃଷ୍ଠପୋଷକ, ବିତରକ, ଶୁଭେଚ୍ଛୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ । କୋଭିଡ଼- ୧୯ ମହାମାରୀ ଆମକୁ ଏଭଳି ଏକ କାଳଖଣ୍ଡରେ ଆଣି ଠିଆ କରାଇଛି ଯେ ଏହି ସମୟରେ ପରସ୍ପରଙ୍କୁ ଶୁଭେଚ୍ଛା ଜ୍ଞାପନ କଲାବେଳେ ସଭିଏଁ ପରସ୍ପରଙ୍କୁ ସୁସ୍ଥ ଓ ନିରାପଦ ରହିବା କାମନା କରୁଛନ୍ତି । କାରଣ ବିପଦ ଏଯାଏଁ ଟଳିନି । ଆମେ ସମସ୍ତେ ଏକ ସଂକଟର ଘଡ଼ି ଦେଇ ଗତି କରୁଛୁ । କିନ୍ତୁ ସତର୍କତା ଅବଲମ୍ବନର ସହ ଆମେ ଏହି ମହାମାରୀ ଉପରେ ଅବଶ୍ୟ ବିଜୟ ଲାଭ କରିବୁ। ଏହି ପରୀକ୍ଷାର ଘଡ଼ିରେ ‘ପ୍ରମେୟ’ ସମସ୍ତଙ୍କୁ ସଚେତନ ଓ ସତର୍କ କରାଇବାର ତା’ର କର୍ତ୍ତବ୍ୟ ନିଷ୍ଠାର ସହ ସଂପାଦନ କରିଚାଲିଛି । ଆମର ଦୃଢ଼ ବିଶ୍ୱାସ ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ଆମେ ଏହି କର୍ତ୍ତବ୍ୟକୁ ପୂର୍ବଭଳି ପ୍ରତିବଦ୍ଧତାର ସହ ସଂପାଦନ କରିବୁ । ଦୀର୍ଘ ନଅବର୍ଷ ଧରି ଆମ ସହ ହାତ ଧରାଧରି ହୋଇ ଚାଲିଥିବା ‘ପ୍ରମେୟ’ ପରିବାରର ସମସ୍ତ ସୁହୃଦଙ୍କୁ ପୁଣିଥରେ ହୃଦୟର ଅଭିନନ୍ଦନ ।

{"id":370711,"sizeSlug":"large"}
ଗୋପାଳକୃଷ୍ଣ ମହାପାତ୍ର, ଗ୍ରୁପ୍ ଏଡିଟ୍‌ର ‘ପ୍ରମେୟନ୍ୟୁଜ୍-୭ ‘

ଦୈନିକ ‘ପ୍ରମେୟ’ ପରିବାର ତରଫରୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଦେବାବେଳେ ମନ ଅଧିକ ସଚେତନ ହୋଇ ଉଠୁଛି । ଇତି ମଧ୍ୟରେ ‘ପ୍ରମେୟ’ ନଅ ବର୍ଷ ପୂର୍ଣ୍ଣକରି ଦଶବର୍ଷରେ ପାଦ ଥାପିଛି । ଆଜି ‘ପ୍ରମେୟ’ ଯେଉଁ ସଫଳତା ହାସଲ କରିଛି, ଯେଉଁ ଶୀର୍ଷ ଛୁଇଁଛି, ତାହା ପଛରେ ରହିଛି ଅସୁମାରି ପାଠକୀୟ ଶ୍ରଦ୍ଧା ଓ ବିଶ୍ୱାସ । ରହିଛି ଆମ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠା । ଓଡ଼ିଆରେ କଥାଟିଏ ଅଛି ନଅବର୍ଷ ପର୍ଯ୍ୟନ୍ତ ଶ୍ରଦ୍ଧା ଏବଂ ଦଶବର୍ଷ ଠାରୁ ଆକଟ । ଆମେ ଯେଉଁ ଶ୍ରଦ୍ଧା ଲାଭ କରିଛୁ, ସେହିଭଳି ସମସ୍ତଙ୍କ ଆକଟ ଓ ପରାମର୍ଶକୁ ଆପଣାଇ ଆଗାମୀ ଦିନରେ ଯଥାରୀତି ଆପଣମାନଙ୍କ ଶ୍ରଦ୍ଧାଭାଜନ ହୋଇଚାଲିବୁ । ପ୍ରମେୟର ବୟସ ଯେତିକି ବଢ଼ୁଛି ମନ ସେତିକି ସଚେତନ ହେଉଛି । ଦାୟିତ୍ୱ ବଢ଼ି ବଢ଼ି ଚାଲିଛି । ଆମେ ଏହି ଅବସରରେ ସମସ୍ତଙ୍କୁ ବିଶ୍ୱାସ ଦେବାକୁ ଚାହୁଁ ଯେ ‘ପ୍ରମେୟ’ ତା’ର ସେହି କର୍ତ୍ତବ୍ୟ ଅବଶ୍ୟ ପୂରଣ କରିବ । ଚଳିତ ବର୍ଷଟି ସମଗ୍ର ମାନବ ସମାଜ ନିମନ୍ତେ ଏକ ଘଡ଼ିସନ୍ଧିର ସମୟ ପାଲଟିଛି । ମହାମାରୀ କରୋନା ଆମକୁ ଏକ ଅଭୂତପୂର୍ବ ପରୀକ୍ଷାର ସମ୍ମୁଖୀନ କରାଇଛି । ଏହି ମହାମାରୀ ଆରମ୍ଭ ହେବା ଦିନଠାରୁ ଆମେ ପାଠକମାନଙ୍କୁ ସବୁଠୁ ଆଗେ ଓ ସବୁମତେ ବିଶ୍ୱସନୀୟ ଖବର ପରିବେଷଣ କରି ସଚେତନ କରାଇଛୁ । ଏହା ଆମର ପରମ କର୍ତ୍ତବ୍ୟ ବୋଲି ଆମେ ମନେକରୁ ଏବଂ ସେହି ଧାରା ଆଗକୁ ମଧ୍ୟ ଜାରି ରହିବ । କରୋନା ଲଢ଼େଇରେ ‘ପ୍ରମେୟ’ ଆରମ୍ଭରୁ ହିଁ ସାମିଲ ହୋଇଆସିଛି ଓ ଏବେସୁଦ୍ଧା ଆମେ ସେହି ସଂଗ୍ରାମର ଜାଗ୍ରତ ପ୍ରହରୀ ସାଜିଛୁ । ଆମର ଜଣେ କରୋନା ଯୋଦ୍ଧା ମଧ୍ୟ କର୍ତ୍ତବ୍ୟରତ ଅବସ୍ଥାରେ ବଳିଦାନ ଦେଇଛନ୍ତି । ତେଣୁ ପାଠକ ଓ ଶୁଭେଚ୍ଛୁମାନଙ୍କ ସହିତ ଶୁଭେଚ୍ଛା ବାର୍ତ୍ତା ବାଣ୍ଟିଲାବେଳେ ଆମେ ସେମାନଙ୍କର ମନୋବଳକୁ ଦୃଢ଼ ରଖିବା ନିମନ୍ତେ ପୁଣି ଥରେ ବିଶ୍ୱାସ ଦେଉଛୁ । ଏହି ଲଢ଼େଇରେ ଆମର ବିଜୟ ସୁନିଶ୍ଚିତ । କିନ୍ତୁ ପ୍ରତିଷେଧକ ଟୀକା ବାହାରିବା ପର୍ଯ୍ୟନ୍ତ ଆମକୁ ପୂର୍ବବତ୍‌ ସେତିକି ସଚେତନ ରହିବାକୁ ପଡ଼ିବ । ଘନ ଅନ୍ଧାର ପରେ ଉଜ୍ଜ୍ୱଳ ଆଲୋକ ନିଶ୍ଚୟ ଆସିବ । ଆମର ଆଶା, ଦୈନିକ ‘ପ୍ରମେୟ’ର ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଏହି ପ୍ରୟାସ ଜାରି ରଖିବେ । ଆପଣମାନଙ୍କ ଶ୍ରଦ୍ଧା ଓ ସହଯୋଗ ପାଇଁ ପୁଣି ଥରେ ନମସ୍କାର, ଶୁଭେଚ୍ଛା ଓ ଅଭିନନ୍ଦନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.