ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଳମ୍ୱାସୁର ବଧ ବେଶ

Published By : Prameya-News7 Bureau | August 30, 2024 IST

ପୁରୀ ୩୦/୮: ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ ଅନୁଷ୍ଠିତ ହେବ। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳବାଳକ ମାନଙ୍କ ସହିତ ଖେଳୁଥିଲେ। ତେବେ ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପ୍ରଳମ୍ୱାସୁର ନାମକ ଜଣେ ମହାବଳଶାଳୀ ଦୈତ୍ୟକୁ କଂସ ପ୍ରେରଣ କରିଥିଲେ। 

ମହାବଳଶାଳୀ ପ୍ରଳମ୍ୱାସୁର ପ୍ରଭୁ ବଳଭଦ୍ରଙ୍କୁ ଆକ୍ରମଣ କରି ଉପରକୁ ଟେକି ନେଇଯିବା ସମୟରେ ସ୍ୱୟଂ ବଳଭଦ୍ର ମହାପ୍ରଭୁ ମୁଷ୍ଟିକା ଘାତ କରି ପ୍ରଳମ୍ୱାସୁରକୁ ବିନାଶ କରିଥିଲେ। ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ ବଢ଼ିବା ପରେ ଏହି ବେଶ ଅନୁଷ୍ଠିତ ହେବ। କାଷ୍ଠ, ବେତ, କଳାକନା, ଧଳାକନା ଓ ନୀଳକନାରେ ୪ଫୁଟର ଏକ ବିରାଟକାୟ କାଷ୍ଠ ନିର୍ମିତ ଏହି ପ୍ରଳମ୍ୱାଶୁର ମୂର୍ତ୍ତିକୁ ରତ୍ନସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜାଯାଏ। 

ପ୍ରଳମ୍ୱାସୁର ବଧ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥିବାବେଳେ ଅସୁରର ସ୍କନ୍ଧ ଏବଂ ଦୁଇ ଭୂଜରେ ପ୍ରଭୁ ଶ୍ରୀ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ହୁଏ। ଏହି ବେଶ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ୱାସ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.