ଛତିଶଗଡ଼ ସରକାରର ମନ୍ମାନି, ବିରୋଧ ପରେ ବି ନିର୍ମାଣ କରିବ ଡ୍ୟାମ୍ ; ସୀମାରେ ଆଦିବାସୀ ସଂଘର ପ୍ରଜାମେଳି
29/12/2022 at 3:08 PM

ମାଥିଲି ୨୯।୧୨ : ଛତିଶଗଡ ସୀମାରେ ଆଦିବାସୀ ସଂଘର ପ୍ରଜାମେଳି । ପ୍ରସ୍ତାବିତ କୋକ୍ରାଲ ଡ୍ୟାମକୁ ବିରୋଧ କଲେ ୬ଟି ପଂଚାୟତ ବାସୀ । ଛତିଶଗଡର କୋକ୍ରାଲ ଡ୍ୟାମକୁ ବିରୋଧ କରି ଏକାଠି ହେଲେ ଶହ ଶହ ଆଦିବାସୀ । ଛତିଶଗଡର ମନମାନୀକୁ ବିରୋଧ କରି ଓଡିଶା ସୀମାରେ ତାତିଲେ ସ୍ଥାନୀୟ ଲୋକ । ଡ୍ୟାମ ନିର୍ମାଣ ହେଲେ ଓଡିଶାର ୪୮ ଗାଁ ବୁଡିବ ବୋଲି ଆଶଙ୍କା କରି ପ୍ରତିବାଦ କରିଛନ୍ତି ।
ଖବର ଅନୁଯାୟୀ, ଡ୍ୟାମ ନିର୍ମାଣ ପାଇଁ ସର୍ଭେ ଶେଷ କରିଛି ଛତିଶଗଡ ସରକାର । ସାବେରି ନଦୀ ଉପରେ ପାଣିକୁ ଅଟକ ରଖି ଛତିଶଗଡର କିଛି ଗ୍ରାମରେ ଜଳସେଚନର ସୁବିଧା କରିବାକୁ ଯୋଜନା ରଖିଛି ସରକାର । ଭୀମସେନ୍ ଘାଟ ଠାରେ ନିର୍ମାଣ ହେବାକୁ ଥିବା ଏହି ଡ୍ୟାମ୍ କାର୍ଯ୍ୟକାରୀ ହେଲେ ଓଡିଶାର ଛଅ ଗୋଟି ପଞ୍ଚାୟତ କ୍ଷତିଗ୍ରସ୍ତ ହେବ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲି , ମହୁପଦର , ସାଲିମି , ଟେମୃପାଲି , କତାପାଲି , କର୍ତ୍ତନପାଲି ଆଦି ଛଅ ଗୋଟି ପଞ୍ଚାୟତ ପ୍ରଭାବିତ ହେବ ।
ତେବେ ଡ୍ୟାମ୍ ନିର୍ମାଣକୁ ବିରୋଧ କରି ପୂର୍ବରୁ ମଧ୍ୟ ଆଦିବାସୀ ସଂଘ ତରଫରୁ ଛତିଶଗଡ ସରକାର ବିରୋଧରେ ସ୍ବର ଉଠାଯାଇଛି । ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ବେଳ ଥାଉ ଥାଉ ସାବଧାନ ହୋଇ ରାଜ୍ୟ ସରକାର ଏହି ପ୍ରକଳ୍ପ କୁ ବିରୋଧ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଆଦିବାସୀ । ଛତିଶଗଡର କୋକ୍ରାଲ ଡ୍ୟାମକୁ ବିରୋଧ କରି ଏକାଠି ହେଲେ ଶହ ଶହ ଆଦିବାସୀ ।