ଯାତ୍ରୀବାହୀ ବସ ଉପରକୁ ଗୁଳି ମାଡ ଘଟଣା: ଆଇଆର୍‌ବି ଯବାନ ହିମାଂଶୁ ପାତ୍ରଙ୍କ ସାହସିକତାକୁ ଚାରିଆଡ଼େ ପ୍ରଶଂସା, ଦୁର୍ବୃତ୍ତଙ୍କଠାରୁ ଛଡ଼ାଇ ଆଣିଥିଲେ ପିସ୍ତଲ

Published By : Prameya-News7 Bureau | November 28, 2020 IST

ଢ଼େଙ୍କାନାଳ୨୮/୧୧: ଯାତ୍ରୀବାହୀ ବସ୍‌ ଉପରକୁ ଗୁଳି ଚାଳନା ଘଟଣାରେ ଆଇଆର୍‌ବି ଯବାନ ହିମାଂଶୁ ପାତ୍ରଙ୍କ ସାହସିକତାକୁ ଚାରିଆଡ଼େ ଭୁରି ଭୁରି ପ୍ରଶଂସା କରାଯାଉଛି। ଢ଼େଙ୍କାନାଳ ଜିଲ୍ଲା ଭୁବନ ନୀଳକଣ୍ଠପୁର ବାଜି ରାଉତ ବ୍ରିଜ ଉପରେ ଗୁଳି ମାଡ ହୋଇଥିଲା। ଏହି ସମୟରେ କେନ୍ଦୁଝରସ୍ଥିତ ସେକେଣ୍ଡ ବାଟାଲିୟନର କନଷ୍ଟେବଳ ହିମାଂଶୁ ପାତ୍ର ସେଠାରେ ଉପସ୍ଥିତ ଥିଲେ। ଗୁଳି ଚାଳନା ସମୟରେ ସେ ଦୁର୍ବୃତ୍ତମାନଙ୍କୁ କାବୁ କରିବାକୁ ଚେଷ୍ଟା କରିବା ସହ ସେମାନଙ୍କଠୁ ପିସ୍ତଲ ଛଡ଼ାଇ ଆଣିଥିଲେ। ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଖସି ଚାଲିଯାଇଥିଲେ ମଧ୍ୟ ସାହସର ସହ ହିମାଂଶୁ ଏହି ମୁକାବିଲାର ସାମ୍ନା କରିଥିଲେ। ଯାହାଫଳରେ ଯାତ୍ରୀମାନେ ବିପଦ ମୁକ୍ତ ହୋଇଥିଲେ। ତାଙ୍କର ଏଭଳି ସାହସିକତା ଯୋଗୁଁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।

ସୂଚନାଥାଉକି ବାଇକରେ ଯାଉଥିବା ଦୁଇ ଯୁବକ ଓ ଜଣେ ଯୁବତୀ ଏକ ଯାତ୍ରୀବାହୀ ବସ ‘ମଲିକ୍‌’କୁ ଓଭର ଟେକ୍‌ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ । ଏହି ଯାତ୍ରୀବାହୀ ବସଟିକୁ କପିଳାସ ନିକଟରେ ଥିବା ଦେଓଗାଁ ରାସ୍ତାରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ବାଇକ ଯୋଗେ ଓଭର ଟେକ୍‌ କରିଥିଲେ । ଏପରିକି ଦେଓଗାଁରୁ ମନ୍ଦାର ଛକ ପର୍ଯ୍ୟନ୍ତ ଚାରି ପାଞ୍ଚ ଥର ଓଭର ଟେକ୍‌ କରିବାକୁ ନେଇ ବସର ଡ୍ରାଇଭର ଦୁର୍ଯ୍ୟୋଧନ ସ୍ବାଇଁ ଓ ବାଇକ୍‌ରେ ଯାଉଥିବା ଯୁବକ-ଯୁବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ପରେ ବାଜି ରାଉତ ସେତୁ ନିଳକଣ୍ଠପୁର ଗ୍ରାମ ଛକରେ ମଲ୍ଲିକ ବସକୁ  ଅଟକାଇ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଡ୍ରାଇଭରଙ୍କୁ  ଗାଳିଗୁଲଜ କରି ଟଣାଓଟରା କରିଥିଲା । ପରେ  ନିଜ ସାଥି ଯୁବତୀଙ୍କ ଭ୍ୟାନିଟରୁ ମାଉଜର ବାହାର କରି ଡ୍ରାଇଭର ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା । ଗୁଳିଟି ଡ୍ରାଇଭରଙ୍କ ଉପରେ  ନବାଜି ବସର ଆଗ କାଚରେ ବାଜିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.