‘ତାଙ୍କୁ ଦେଶରୁ ବାହାର କରିଦେବା ଉଚିତ୍’: ରାହୁଲ ଗାନ୍ଧୀ ବିଦେଶରେ ଦେଇଥିବା ଏକ ବୟାନ ପରେ ତାଙ୍କୁ ନିନ୍ଦା କରି କହିଛନ୍ତି ପ୍ରଜ୍ଞା ଠାକୁର
12/03/2023 at 10:45 AM

ନୂଆଦିଲ୍ଲୀ: ‘ବିଜେପି’ ସାଂସଦ ପ୍ରଜ୍ଞା ଠାକୁର ଶନିବାର ଦିନ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ସେ ଚାଣକ୍ୟଙ୍କ ବାକ୍ୟକୁ ସତ୍ୟ ପ୍ରମାଣିତ କରିଛନ୍ତି। ତାଙ୍କୁ ଦେଶରେ ବିଦା କରିଦେବା କଥା। ଜଣେ ବିଦେଶିନୀଙ୍କଠାରୁ ଜନ୍ମିତ ପୁତ୍ର କଦାପି ଦେଶପ୍ରେମୀ ହୋଇପାରେ ନାହିଁ ବୋଲି ଚାଣକ୍ୟ ଯାହା କହିଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି। ତେଣୁ, ବିଦେଶରେ ଦେଇଥିବା ମନ୍ତବ୍ୟ ଯୋଗୁଁ ତାଙ୍କୁ ଦେଶରୁ ବାହାର କରିଦିଆଯିବା ଦରକାର ବୋଲି ପ୍ରଜ୍ଞା ଠାକୁର କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଇଂଲଣ୍ଡ୍ ଗସ୍ତ ସମୟରେ ରାହୁଲ୍ ଗାନ୍ଧୀ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ଏବଂ ଇଂଲଣ୍ଡ୍ ସଂସଦରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହିତ ନରେନ୍ଦ୍ର ମୋଦୀ ନେତୃତ୍ବାଧୀନ ସରକାରଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ।
#WATCH | While sitting abroad, you (Rahul Gandhi) are saying you are not getting an opportunity to speak in Parliament. Nothing can be more shameful than this. He should not be given a chance in politics& should be thrown out of the country: BJP’s Pragya Thakur, in Bhopal (11.03) pic.twitter.com/ZBDrZFjepx
— ANI (@ANI) March 12, 2023
ଏହି ଘଟଣା ପରେ ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି, ଆପଣଙ୍କ ମାଆ ଇଟାଲୀୟ ହୋଇଥିବାରୁ ଆପଣ ଭାରତୀୟ ନୁହନ୍ତି ବୋଲି ଆମେ ଧରିନେଇଛୁ। ଚାଣକ୍ୟ କହିଛନ୍ତି ଯେ, ଜଣେ ବିଦେଶୀ ମହିଳାଙ୍କଠାରୁ ଜନ୍ମ ହୋଇଥିବା ପୁଅ କଦାପି ଦେଶପ୍ରେମୀ ହୋଇପାରିବ ନାହିଁ ଏବଂ ରାହୁଲ ଗାନ୍ଧୀ ଏହି କଥା ସତ୍ୟ ବୋଲି ପ୍ରମାଣ କରିଛନ୍ତି। ସେ ANIକୁ କହିଛନ୍ତି, ଆପଣ ଏ ଦେଶର ଜଣେ ନେତା, ଏଠାକାର ଜନତାଙ୍କ ଦ୍ୱାରା ନିର୍ବାଚିତ। କିନ୍ତୁ, ଏବେ ଜନସାଧାରଣଙ୍କୁ ଅପମାନ ଦେଉଛନ୍ତି। ବିଦେଶରେ ଆପଣ କହୁଛନ୍ତି କି, ସଂସଦରେ କହିବାକୁ ଆପଣଙ୍କୁ ସୁଯୋଗ ମିଳୁନି। ଏହାଠାରୁ ଲଜ୍ଜାକର କଥା ଆଉ କ’ଣ ଥାଇପାରେ। ତାଙ୍କୁ ରାଜନୀତି କରିବାକୁ ସୁଯୋଗ ଦେବା ଅନୁଚିତ। ବରଂ ତାଙ୍କୁ ଦେଶରୁ ବିତାଡ଼ିତ କରିବା କଥା।
ଠାକୁର୍ ଆହୁରି କହିଛନ୍ତି, ସଂସଦ ସୁରୁଖୁରୁରେ ଚାଲିଲେ ଅଧିକ କାମ କରାଯାଇ ପାରିବ। ଯଦି ଅଧିକ କାମ ହୁଏ କଂଗ୍ରେସ ତିଷ୍ଠିବ ନାହିଁ। ସେମାନଙ୍କର ଅସ୍ତିତ୍ୱ ବିଲୋପ ହେବାକୁ ଯାଉଛି। ଏବେ ତାଙ୍କ ମନୋଭାବ ବି କଳୁଷିତ ହୋଇଗଲାଣି। ପ୍ରୟାଗ ଠାକୁରଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ମିଡିଆ ବିଭାଗର ଅଧ୍ୟକ୍ଷ କେ.କେ ମିଶ୍ର କହିଛନ୍ତି ଯେ, ମାଲେଗାଓଁ ବିସ୍ଫୋରଣ ମାମଲାରେ ଠାକୁର ଜଣେ ଅଭିଯୁକ୍ତ।
ସୂଚନାନୁସାରେ, ଚଳିତ ସପ୍ତାହ ପ୍ରାରମ୍ଭରେ ବ୍ରିଟିସ୍ ସାଂସଦମାନଙ୍କୁ ରାହୁଲ୍ ଗାନ୍ଧୀ କହିଥିଲେ ଯେ, ବିରୋଧୀମାନେ କହିବା ବେଳେ ଭାରତୀୟ ସଂସଦରେ ମାଇକ୍ରୋଫୋନ୍ ବନ୍ଦ କରିଦିଆଯାଏ।