ଆଉ ଶୁଣିବାକୁ ମିଳିବନି ‘କମଳ ଦେଶ ରାଜକୁମାର ମୁଁ ହାତରେ ପୁଷ୍ପଧନୁ…’

Published By : Prameya-News7 Bureau | April 18, 2022 IST

ଭୁବନେଶ୍ୱର ୧୮।୦୪ : ଆଉ ଶୁଣିବାକୁ ମିଳିବନି ‘କମଳ ଦେଶ ରାଜକୁମାର ମୁଁ ହାତରେ ପୁଷ୍ପଧନୁ…’। କାରଣ ନିଜର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଛନ୍ତି ଲକ୍ଷେ ରାଜାର ମଉଡ଼ମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ଯିଏ ଦୀର୍ଘ ୬ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିଲେ । ଯିଏ ପ୍ରାୟ ୭୦ରୁ ଅଧିକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

‘କମଳ ଦେଶ ରାଜକୁମାର ମୁଁ, ହାତରେ ପୁଷ୍ପଧନୁ.. ଲକ୍ଷେ ରାଜାଙ୍କ ମଉଡ଼ମଣି ମୁଁ, ମୋ ନାମ ଚନ୍ଦ୍ରଭାନୁ.. ମୋ ନାମ ଚନ୍ଦ୍ରଭାନୁ.. । – ଏକଦା ରେଡିଓରୁ ଶୁଭୁଥିବା ଏ ଲୋକପ୍ରିୟ ସୁଗମ ସଂଗୀତର ଗାୟକ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଥିଲେ ସତସତିକା ଜଣେ ରାଜକୁମାର । ତାଙ୍କ ଅଭିଜାତ ଠାଣି, ଶିଳ୍ପୀସୁଲଭ ବେଶପୋଷାକ, ରେଶମୀ ଗଳାର ଗାୟକୀ, ଶାସ୍ତ୍ରୀୟ ସଂଗୀତରେ ତଲ୍ଲୀନତା.. ତାଙ୍କୁ ଓଡ଼ିଆ ଫିଲ୍ମ ଓ ସଂଗୀତ ଜଗତରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଥିଲା ଏକ ବିଶେଷ ଆସନରେ ଅଧିଷ୍ଠିତ କରାଇଥିଲା । ଭଜନ ଓ ଜଣାଣରୁ ଆଧୁନିକ ଗୀତଯାଏ, ପୁଣି ଫିଲ୍ମି ମେଲୋଡି ଧାରାରୁ ଶାସ୍ତ୍ରୀୟ ରାଗ ଆଧାରିତ ସଂଗୀତ ଯାଏ.. ସବୁଥିରେ ଥିଲା ତାଙ୍କର ଗଭୀର ବ୍ୟାପ୍ତି ଓ ବ୍ୟୁତ୍ପତ୍ତି ।

ଗାଁ ଗହଳିର ସରଳ କଥନିକା ଓ ବୋଲିଠାରୁ କଠିନ ସଂସ୍କୃତ ଶ୍ଳୋକଯାଏ.. ସବୁଥିରେ ଥିଲା ତାଙ୍କର ପ୍ରବେଶ ଓ ପ୍ରସିଦ୍ଧି । ଜଣେ ସଂଗୀତଜ୍ଞ ହିସାବରେ ସେ ଥିଲେ ସ୍ୱୟଂସଂପୂର୍ଣ୍ଣ । ଗୀତ ଲେଖୁଥିଲେ ଗାଉଥିଲେ, ସ୍ୱର ସଂଯୋଜନା କରୁଥିଲେ । ଏହାଛଡ଼ା, ଓଡ଼ିଆ ଫିଲ୍ମରେ ହେଉ ବା ସୁଗମ ସଂଗୀତ କ୍ଷେତ୍ରରେ, ନୂଆ କଳାକାରଙ୍କୁ ସୁଯୋଗ ଦେବାରେ ସେ ଥିଲେ ଅଗ୍ରଗଣ୍ୟ, ଅନତିକ୍ରମଣୀୟ । ଓଡ଼ିଶାର ଅନେକ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଖୋଲାଖୋଲି ଏକଥା ସ୍ୱୀକାର କରନ୍ତି ଯେ ପ୍ରଫୁଲ୍ଲ କର ହିଁ ସେମାନଙ୍କ ହାତ ଧରି ସଂଗୀତ ଦୁନିଆକୁ ଆଣିଛନ୍ତି । ଏହାଛଡ଼ା, ଭାବ ବିଭୋର ଅର୍ଥପୂର୍ଣ୍ଣ ଭଜନ ପ୍ରସ୍ତୁତିରେ ହେଉ ବା ମଜାଳିଆ ମେଲୋଡ଼ି ଧୁନ୍‌ର ଗୀତ ତିଆରିରେ, ସବୁ କ୍ଷେତ୍ରରେ ପ୍ରାୟ ନୂଆ ଓ ନିଆରା ଢଙ୍ଗରେ ସେ ସଂଗୀତକୁ ନେଇ ପରୀକ୍ଷା ନିରୀକ୍ଷା କରିଛନ୍ତି ।

ସଂଗୀତ କ୍ଷେତ୍ରରେ ଅମୂଲ୍ୟ ଅବଦାନ ନିମନ୍ତେ ପଦ୍ମଶ୍ରୀ ଓ ଜୟଦେବ ସମ୍ମାନ ଲାଭ କରିଥିବା ଶ୍ରୀ କର ଲେଖାଲେଖିରେ ମଧ୍ୟ ନିଜସ୍ୱ ଛାପ ଓ ଚିହ୍ନ ଛାଡ଼ିଯାଇଛନ୍ତି । ଶ୍ରୀ କରଙ୍କ ବିୟୋଗ ଓଡ଼ିଆ ସଂଗୀତ ଦୁନିଆରେ, ଶାସ୍ତ୍ରୀୟ ଓ ଲଘୁ ସଂଗୀତ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବହୁ ବିଶିଷ୍ଟ ସଂଗୀତଶିଳ୍ପୀ ଓ ସଂଗୀତପ୍ରେମୀ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.