ଇଶାରା ଦେଇ ପ୍ୟାଚ୍ ଅପ୍ କରୁଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ, ଦଳ ଛାଡିବା ପାଇଁ ରିସ୍କ ନେବାକୁ ଡରୁଛନ୍ତି କି ?

Published By : Prameya-News7 Bureau | October 02, 2021 IST

ଭୁବନେଶ୍ୱର, ୦୨/୧୦: କଂଗ୍ରେସରେ ରହିବେ ନା ବିଜୁ ଜନତା ଦଳରେ ଯୋଗ ଦେବେ କଂଗ୍ରେସର ବରିଷ୍ଠ ନେତା ତଥା କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ? ବିଜେଡି ଆଡେ ଢଳୁଛନ୍ତି କି ପ୍ରଦୀପ ?  ଦୀର୍ଘଦିନ ଧରି ପ୍ରଦୀପଙ୍କ ରାଜନୈତିକ ଗତିବିଧିକୁ ନେଇ ଚାଲିଛି ଚର୍ଚ୍ଚା ଓ ଆଲୋଚନା । କେତେବେଳେ ସେ ବିଜେଡିରେ ମିଶିବେ ବୋଲି ଶୁଣିବାକୁ ମିଳୁଛି, ପୁଣି କେତେବେଳେ ସେ କଂଗ୍ରେସରେ ରହିବେ ବୋଲି ସେ ନିଜେ ଇଶାରା ଦେଉଛନ୍ତି । ଅତିଶୀଘ୍ର ଶଙ୍ଖ ଫୁଙ୍କିବେ ବୋଲି ଚର୍ଚ୍ଚା ମଧ୍ୟରେ ପ୍ରଦୀପ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ।

ପୂର୍ବତନ ସାଂସଦ ତଥା କଂଗ୍ରେସର ଏହି ଟାଣୁଆ ନେତା ଜଣଙ୍କଦଳ ଛାଡି ବିଜେଡିରେ ଯୋଗଦେବା ନେଇ ନବରଙ୍ଗପୁରରୁ ଭୁବନେଶ୍ଵର ଯାଏ ଚର୍ଚ୍ଚା ଜୋର ଧରିଥିଲା । ପିପିଲି ନିର୍ବାଚନ ସରିବା ପରେ ଏ ନେଇ ଆଲୋଚନା ବଢିଥିଲା । ଉପ ନିର୍ବାଚନର ଫଳ ପ୍ରକାଶ ପାଇବା ପରଦିନ ସେ ବିଜେଡି ହାତ ଧରିପାରନ୍ତି ବୋଲି ବିଶ୍ୱସ୍ତ ସୂଚନା ମିଳିଥିଲା । ଏପରିକି ପ୍ରଦୀପ ବିଜେଡିର ସାଧାରଣ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ପ୍ଲାନ୍‌ ମଧ୍ୟ ପ୍ରସ୍ତୁତ କରିସାରିଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ୩୦ ତାରିଖ ଦିନ ସନ୍ଧ୍ୟାରେ ପ୍ରଣବଙ୍କ ସହ ପ୍ରଦୀପଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପରେ ସେ ଖୁବ୍ ଶୀଘ୍ର ଶଙ୍ଖ ଫୁଙ୍କିବେ ବୋଲି ରାଜନୈତିକ କରିଡରରେ ଶୁଣିବାକୁ ମିଳିଥିଲା ।

ଏକଦା ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ପ୍ରଦୀପଙ୍କ ବାପା ଭଗବାନ ମାଝୀ ରାଜ୍ୟସଭା ସାଂସଦ ହୋଇଥିଲେ  । ଆଉ କଂଗ୍ରେସରୁ ଲଗାତାର ଦୁଇ ଥର ହାରିବା ପରେ ପ୍ରଦୀପ ଏବେ ନିଜ ବାପାଙ୍କ  ରାଜନୀତି ରାସ୍ତାରେ ଯାଇ  ବିଜୁଙ୍କୁ ଆଦର୍ଶ କରି ଶଙ୍ଖ ଧରିବେ ବୋଲି ରାଜନୈତିକ ଅଳିନ୍ଦରେ ଚର୍ଚ୍ଚା ।କିନ୍ତୁ ପ୍ରଦୀପ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଚର୍ଚ୍ଚାରେ ସାମାନ୍ୟ ବ୍ରେକ୍ ଲାଗିଛି । ପ୍ରଦୀପ ରାହୁଲଙ୍କୁ ଭେଟି ସେ ଦଳରେ ଅଛନ୍ତି ଓ ଆଗକୁ ରହିବେ ବୋଲି ବାର୍ତ୍ତା ଦେଇଛନ୍ତି । ଏହା ସତ୍ତ୍ୱେ ଦଳର ଅନେକ ବରିଷ୍ଠ ନେତା ପ୍ରଦୀପଙ୍କ ଉପରେ ଖପ୍ପା । ରାଜ୍ୟର ଟାଣୁଆ ନେତା ତଥା ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଦଳ କିଏ ଛାଡିଲେ କିଛି ଫରକ ପଡିବନି । ଦଳରେ ଅନେକ ଆଦିବାସୀ ନେତା ରହିଛନ୍ତି ।  ସମାନ କଥା ଦୋହରାଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । କିନ୍ତୁ ପ୍ରଦୀପ ଦଳ ଛାଡିଲେ କ୍ଷତି ହେବ ବୋଲି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ପ୍ରକୃତରେ କେତେବେଳେ ପ୍ରଦୀପ ବିଜେଡି ଆଡେ ମୁହାଁଉଛନ୍ତି ତ ପୁଣି କେତେବେଳେ ଦଳ ଛାଡିବେ ନାହିଁ ବୋଲି ଶକ୍ତ ବାର୍ତ୍ତା ଦେଉଛନ୍ତି । ଫଳରେ ତାଙ୍କର ଆଗାମୀ ରାଜନୈତିକ ଗତିବିଧି ଅସ୍ପଷ୍ଟ ରହୁଛି । ଭବିଷ୍ୟତରେ ସେ ବିଜେଡିରେ ଯୋଗ ଦେବେ ନା କଂଗ୍ରେସରେ ରହିବେ ତାହା ଅଳ୍ପ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ଅନେକ ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.