ଚାରି ଆଡୁ ଘେରି ଗଲେଣି ପ୍ରଦୀପ ପାଣିଗ୍ରାହୀ, ଜୋର ଧରିଲା ବିଧାୟକ ପଦରୁ ଇସ୍ତଫା ଦାବି, ସେପଟେ ଆତଙ୍କିତ ଅବସ୍ଥାରେ ତାଙ୍କ ସମର୍ଥକ

Published By : Prameya-News7 Bureau | December 05, 2020 IST

ଭୁବନେଶ୍ଵର ୦୫।୧୨: ଚାରି ଆଡୁ ଘେରି ଗଲେଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। କ୍ରାଇମବ୍ରାଞ୍ଚ, ଇଡି, ଭିଜିଲାନ୍ସ ପ୍ରଦୀପଙ୍କୁ ଘେରାବନ୍ଦୀ କରିରଖିଥିବା ବେଳେ ବିରୋଧୀ ବି ପ୍ରଦୀପଙ୍କୁ ଘେରିଛନ୍ତି । ଏତେସବୁ କେଳେଙ୍କାରୀରେ ଲିପ୍ତ ପ୍ରଦୀପ ତୁରନ୍ତ ବିଧାୟକ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ । ସେପଟେ ବିଜେପି ବି ପ୍ରଦୀପଙ୍କ କଳାକାରନାମା ଗୁମରର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରି ସରକାରକୁ ଟାର୍ଗେଟ୍ କରିଛି । ଆଉ ବିଜେଡି ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛି । ସେପଟେ ତଦନ୍ତକାରୀ ସଂସ୍ଥାରେ ନଜରରେ ଅଛନ୍ତି ପ୍ରଦୀପଙ୍କ ଆକାଉଣ୍ଟକୁ ଅର୍ଥଦେଣନେଣ କରିଥିବା ବ୍ୟବସାୟୀ ।

ଜେଲ୍‌ରେ ରହି ବେଲ୍ ପାଇଁ ବିକଳ ହେଉଥିବା ପ୍ରଦୀପଙ୍କୁ ବିରୋଧୀଙ୍କ ଘେରାବନ୍ଦୀ । ସୋମବାର ଶୁଣାଣି ଥିବାବେଳେ ପ୍ରଦୀପଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗର ଫର୍ଦ୍ଦ ଯୋଡିହୋଇ ଗଲାଣି। ତଦନ୍ତରେ ବିଭିନ୍ନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ବିରୋଧୀ ବି ଏହି ସୁଯୋଗକୁ ହାତ ଛଡା କରିବାକୁ ଚାହୁଁ ନାହାନ୍ତି । ପଦୀପଙ୍କ ସହ ଲିଙ୍କରେ ଥିବା ନେତା ଓ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡିଲାଣି ।

ପ୍ରଦୀପଙ୍କ ଆକାଉଣ୍ଟକୁ କେଉଁ ଉତ୍ସରୁ ଅର୍ଥ ଆସୁଥିଲା ?  ତାଙ୍କ ଭାବି ଜ୍ବାଇଁ ଆକାଶ ପାଠକ ଟାଟା ମୋଟର୍ସର ଏମ୍‌ଡି ନଥିବା ବେଳେ କିଭଳି ଅର୍ଥ ଆଦାୟ କରୁଥିଲେ ? ଏଥିରେ ପ୍ରଦୀପଙ୍କ ଭୂମିକା କଣ ରହିଥିଲା  ? ଏହି ଅର୍ଥ ଆକାଉଣ୍ଟକୁ ଆସିବାରେ ଆଉ କେଉଁ ବ୍ୟକ୍ତିଙ୍କ ହାତ ରହିଛି ? ତାର ଜୋରଦାର ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ସେପଟେ ବିରୋଧୀ ବି ପ୍ରଦୀପଙ୍କ ପ୍ରତିଟି କଳାକାରନାମାର ଗୁମର ଖୋଲିବାକୁ ଦାବି କରଛନ୍ତି । ପ୍ରଦୀପଙ୍କ ଗିରଫକୁ ନେଇ ଗଞ୍ଜାମ ରାଜନୀତି ଉଷ୍ଣ ଥିବାବେଳେ କଂଗ୍ରେସ ପ୍ରଦୀପଙ୍କ ଇସ୍ତଫା ଦାବି କରିଛି । ଘଟଣାରେ ଆଉ କେଉଁ କେଉଁମାନଙ୍କର ହାତ ରହିଛି ତାର ତଦନ୍ତ ସହ ଏଥିପାଇଂ ସରକାରଙ୍କୁ ନିଶାନା ସାଧିଛି ବିଜେପି ।

ବିରୋଧୀଙ୍କ ପ୍ରତିଟି ଅଭିଯୋଗର ଜବାବ ରଖିଛି ବିଜେଡି । ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଉଚିତ୍ ପଦକ୍ଷେପ ଗ୍ରହଣ କରିଛନ୍ତି। ବିରୋଧୀ ଏହାର ଉଚିତ୍ ପ୍ରମାଣ ପାଇ ସାରିଛନ୍ତି ବୋଲି ବିଜେଡି କହିଛି । ଦୁର୍ନୀତିରେ ସଂପୃକ୍ତି କୌଣସି  ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଛାଡି ନାହାନ୍ତି ବୋଲି ବିଜେଡି କହିଛି ।

ସେପଟେ ପ୍ରଦୀପଙ୍କ ଆକାଉଣ୍ଡକୁ ଯାହା ପାଖରୁ ଟଙ୍କା ଆସିଛି ଓ ଯାହା ପାଖକୁ ଟଙ୍କା ଯାଇଛି ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ଇଡି ସୁତ୍ରରୁ ଜଣାପଡିଛି । ବିଶେଷକରି ପେଟ୍ରୋଲ ପମ୍ପ ମାଲିକ, ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାର ମାଲିକ, ମଦ ବ୍ୟବସାୟୀଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ଏବଂ ସେହି ଅର୍ଥ ପୁଣି ଆକାଶ ପାଠକଙ୍କ ଆକାଉଣ୍ଟକୁ ଯାଇଥିବାରୁ ଏହା ମନି ଲଣ୍ଡରିଂ ରେ ଯାଉଥିବା କ୍ରାଇମବ୍ରାଞ୍ଚ ଓ ଇଡି କହୁଛି ।

ସେପଟେ ପ୍ରଦୀପ ଓ ପାଠକ ବାପ ପୁଅ ହାଇକୋର୍ଟରେ ଜାମିନ ଆବେଦନ କରିଥିବାରୁ ସେମାନଙ୍କ ବିରୋଧରେ ଯେଉଁ ସବୁ ଦଫା ଲାଗିଛି ସେମାନେ ଜାମିନ୍ ପାଇପାରିବେ କି ନା ତାକୁ ଅପେକ୍ଷା କରାଯାଇଛି। ସୋମବାର ତଦନ୍ତକାରୀ ଟିମ୍ ପ୍ରଦୀପଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିପାରେ । ଆବଶ୍ୟକ ହେଲେ ପ୍ରଦୀପ ଓ ଆକାଶଙ୍କ ଏକାଠି ବସାଯାଇ ପଚରା ଉଚରା କରାଯାଇପାରେ।

ଏକା ସଙ୍ଗରେ କ୍ରାଇମବ୍ରାଞ୍ଚ , ଇଡି ଓ ଭିଜିଲାନ୍ସ ଏସ୍ଆଇଟି ଟିମ୍ ତନାଘନା ଆରମ୍ଭ କରିଥିବାରୁ ରାଜନୈତିକ ମହଲଠାରୁ ଆରମ୍ଭକରି ପ୍ରଦୀପଙ୍କ ସମର୍ଥକ, ବ୍ୟବସାୟୀ ଗୋଷ୍ଠୀ, ବ୍ୟାଙ୍କ କର୍ତ୍ତୃପକ୍ଷ  ଓ ଅନ୍ୟକିଛି ବନ ବିଭାଗ କର୍ମଚାରୀ ଆତଙ୍କିତ। କାହାକୁ କେତେବେଳେ ଯେ ତଦନ୍ତକାରୀ ସଂସ୍ଥାର ଡକରା ଆସିବ ତାକୁ ନେଇ ସୃଷ୍ଟି ହୋଇଛି ଭୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.