ଭୁବନେଶ୍ୱର ୧୩।୦୭ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ପିପିଏଲ୍ର ପରିଚାଳନା ନିର୍ଦ୍ଦେଶକଙ୍କ ସହ ସାକ୍ଷାତ । ଗୁରୁବାର ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାରାଦୀପ ଫସ୍ଫେଟ୍ସ ଲିମିଟେଡ (ପିପିଏଲ୍)ର ପରିଚାଳନା ନିର୍ଦ୍ଦେଶକ ସୁରେଶ କ୍ରିଷ୍ଣନ ସାକ୍ଷାତ କରିଛନ୍ତି। କମ୍ପାନିର ସମ୍ପ୍ରସାରଣ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
୩ ହଜାର କୋଟି ଟଙ୍କାର ବିନିଯୋଗରେ କମ୍ପାନି ପାରାଦୀପରେ ସମ୍ପ୍ରସାରଣ କାର୍ଯ୍ୟ ଜାରି ରଖିଛି। ସଲ୍ଫରିକ ଏସିଡ୍ ଏବଂ ଫସ୍ଫରିକ ଏସିଡ୍ ଉତ୍ପାଦନ କ୍ଷମତା ବଢ଼ାଇବା ଲାଗି ହେଉଛି ଏହି ସମ୍ପ୍ରସାରଣ। ୨୦୨୫-୨୬ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ କ୍ରିଷ୍ଣନ ଶ୍ରୀ ମାଝିଙ୍କୁ ଅବଗତ କରିଥିଲେ। ରାଜ୍ୟରେ ସାର ଯୋଗାଣ ଠିକ୍ ରଖିବାକୁ ମୁଖ୍ୟମନ୍ତ୍ରୀ ପିପିଏଲ୍ ଅଧିକାରୀଙ୍କୁ କହିଥିଲେ। ରାଜ୍ୟରେ ସବୁ ଚାଷୀଙ୍କ ପାଖରେ ଯେଭଳି ସାର ପହଞ୍ଚିବ ତାହା ସୁନିଶ୍ଚିତ କରିବା ଏବଂ ସାର ବିତରଣ ଉପରେ ଧ୍ୟାନ ଦେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ଶ୍ରୀ ମାଝୀ ।
ସେହିଭଳି ଓଡ଼ିଶାରେ ଥିବା ବ୍ୟବସାୟ ଅନୁକୂଳ ଶିଳ୍ପାୟନ ସମ୍ପର୍କରେ ରାଜ୍ୟ ବାହାରେ ପ୍ରସାର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। କମ୍ପାନିର ୩ଟି ସଲ୍ଫରିକ ଏସିଡ୍ କାରଖାନା ଏବଂ ଗୋଟିଏ ବୃହତ୍ ଫସ୍ଫରିକ ଏସିଡ ଉତ୍ପାଦନ କାରଖାନା ରହିଛି। ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରକାର ସାର ଆବଶ୍ୟକତା ପୂରଣ କରିବାରେ କମ୍ପାନି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହା ପାରାଦୀପରେ ଉତ୍ପାଦନ ସହ ପରିବହନ ଓ ଯୋଗାଣ ଲାଗି ମଧ୍ୟ ଉନ୍ନତ ଭିତ୍ତିଭୂମି ବ୍ୟବସ୍ଥା କରିଛି। ଏ ଅବସରରେ କମ୍ପାନିର ମୁଖ୍ୟ ବିତ୍ତ ଅଧିକାରୀ ବିଜୟ କୁମାର ବିଶ୍ୱାଳ ଓ କର୍ପୋରେଟ ବ୍ୟାପାର ମୁଖ୍ୟ ସୁଧୀ ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।