ଏବେ ଦିଲ୍ଲୀରେ ବିଜୁଳି ବିଲ୍‌ରେ ସମସ୍ତଙ୍କୁ ମିଳିବନି ସବସିଡି, କେବଳ ଆବେଦନକାରୀଙ୍କୁ ମିିଳିବ ସୁବିଧା, ଆଜିଠୁ ଆପ୍ଲିକେସନ ଓପନ୍

Published By : Prameya-News7 Bureau | September 14, 2022 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିଜୁଳି ବିଲ୍‌ରେ ସମସ୍ତଙ୍କୁ ସବ୍‌ସିଡି ଦିଆଯିବା ନେଇ ଅନେକ ସମୟରେ ବିରୋଧ ହେଉଥିଲା। ଦିଲ୍ଲୀର କିଛି ସକ୍ଷମ ଜନତା ସବସିଡି ନେବାକୁ ମନା କରିବା ସହ ଏକ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଆସୁଥିଲେ। ଏବେ ଦିଲ୍ଲୀ ସରକାର ବିକଳ୍ପ ବ୍ୟବସ୍ଥା ଲାଗୁ କରିଛନ୍ତି। ଯେଉଁମାନେ ସବ୍‌ସିଡି ମାଗିବେ ସେମାନଙ୍କୁ ଦିଆଯିବ ଓ ଯେଉଁମାନେ ମାଗିବେ ନାହିଁ ସେମାନେ ପୂରା ବିଜୁଳି ବିଲ୍ ଭରିବେ ବୋଲି କେଜରିୱାଲ୍ କହିଛନ୍ତି।

ଆଜି(୧୪ ସେପ୍ଟେମ୍ବର) ଏନେଇ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେଜରିୱାଲ୍। ବୁଧବାର ଠାରୁ ଦିଲ୍ଲୀରେ ଏହି ନିୟମ ଆରମ୍ଭ ହେବ। ଯେଉଁମାନେ ସବ୍‌ସିଡି ମାଗିବେ କେବଳ ସେହିମାନଙ୍କୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରି କେଜରିୱାଲ କହିଛନ୍ତି "ଦିଲ୍ଲୀର କିଛି ଲୋକ ସବ୍‌ସିଡି ନନେଇ ସେମାନଙ୍କ ଇଲେକ୍ଟ୍ରିକ୍ ବିଲ୍ ଦେବାକୁ ଚାହୁଁଛନ୍ତି। ସବ୍‌ସିଡି ଛାଡ଼ିବା ପାଇଁ ଏକ ବିକଳ୍ପ ହେବା ଦରକାର ବୋଲି ସେମାନେ ଦାବି କରୁଛନ୍ତି। ଏହା ଖୁବ୍ ଭଲ କଥା। ଏଥିପାଇଁ ଦିଲ୍ଲୀ ସରକାର କିଛି ମାସ ପୂର୍ବରୁ ଏକ ନିୟମ ଲାଗୁ କରିବାକୁ ଯୋଜନା କରିଥିଲେ। ଯିଏ ଆବେଦନ କରିବ କେବଳ ସେମାନଙ୍କୁ ସବ୍‌ସିଡି ମିଳିବ। ଆଜି ଏହି ଯୋଜନାକୁ ଲାଗୁ କରିବାକୁ ଯାଉଛୁ।"

ତେବେ ବିଜୁଳି ବିଲ୍‌ ଉପରେ ସମସ୍ତଙ୍କୁ ସବ୍‌ସିଡି ଦେବା ନିୟମ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର ପହିଲାରୁ ଯିଏ ଆବେଦନ କରିବେ ତାଙ୍କୁ ହିଁ ସବସିଡି ମିଳିବ ବୋଲି କେଜରିୱାଲ୍ କହିଛନ୍ତି।

ନୂଆ ବ୍ୟବସ୍ଥା ବିଷୟରେ ବୁଝାଇବାକୁ ଯାଇ କେଜରିୱାଲ୍ କହିଛନ୍ତି ଯେ ସବ୍‌ସିଡି ଚାହୁଁଥିବା ବ୍ୟକ୍ତିଙ୍କୁ ଫର୍ମ ପୂରଣ କରି ଦେବାକୁ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି " ଏବେ ଯେତେବେଳେ ବିଜୁଳି ବିଲ୍ ଆସିବ ସେଥିରେ ଏକ ଫର୍ମ ବି ଆସିବ। ଆପଣ ଏହି ଫର୍ମ ଭରି ବିଜୁଳି ଅଫିସ୍‌ରେ ଦିଅନ୍ତୁ। ଅକ୍ଟୋବର ୧ ତାରିଖ ପରେ ବି ଆପଣଙ୍କୁ ବିଜୁଳି ସବସିଡି ଦିଆଯିବ।"

wp:html /wp:html

ସେହିପରି ଇଲେକ୍ଟ୍ରୋନିକ ତରିକାରେ କେମିତି ଆପଣ ସବ୍‌ସିଡି ପାଇବା ପାଇଁ ପଞ୍ଜିକରଣ କରିବେ ସେ ନେଇ ମଧ୍ୟ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି କେଜରିୱାଲ୍। ସେ କହିଛନ୍ତି ଯେ ୭୦୧୧୩ ୧୧୧୧୧ ଏକ ମିସ୍ କଲ୍ ଦେଲେ ହ୍ୱାଟ୍ସଆପ୍‌କୁ ଏକ ଫର୍ମ ଆସିବ। ଫର୍ମ ଭରିବା ପରେ ୩ ଭିତରେ ଆପଣଙ୍କର ରେଜିଷ୍ଟ୍ରେସନ ହୋଇଯିବ।

ଏହି ନିୟମ ଲାଗୁ ହେବା ଦ୍ୱାରା ଦିଲ୍ଲୀରେ ଆଉ ସମସ୍ତଙ୍କୁ ବିଜୁଳି ବିଲରେ ସବସିଡି ମିଳିବ ନାହିଁ। କେବଳ ଆବେଦନ କରୁଥିବା ଲୋକଙ୍କୁ ହିଁ ସବସିଡି ଦିଆଯିବ।

ଦିଲ୍ଲୀର ବିଜୁଳି ଗ୍ରାହକଙ୍କ ବିଷୟରେ ସୂଚନା ଦେଇ କେଜରିୱାଲ କହିଛନ୍ତି ଯେ ଦିଲ୍ଲୀରେ ମୋଟ ୫୮ ଲକ୍ଷ ଘରୋଇ ବିଜୁଳି ଗ୍ରାହକ ଅଛନ୍ତି। ସେଥିମଧ୍ୟରୁ ୪୭ ଲକ୍ଷ ଲୋକ ସବିସିଡି ପାଉଛନ୍ତି। ୪୭ ଲକ୍ଷରୁ ୩୦ ଲକ୍ଷ ଲୋକଙ୍କର ଜିରୋ ବିଲ୍ ଆସୁଛି ଓ ୧୬-୧୭ ଲକ୍ଷ ଲୋକଙ୍କର ୫୦ ପ୍ରତିଶତ ସବସିଡି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ନୂଆ ନିୟମ ପାଇଁ ଇଲେକ୍ଟ୍ରୋନିକାଲ ପଞ୍ଜିକରଣ କରିବା ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହେଉଛି। ଯେଉଁମାନେ ଅକ୍ଟୋବର ୩୧ ସୁଧା ଆବେଦନ କରିବେ ସେମାନଙ୍କୁ ସବିସିଡି ମିଳିବ। ଯେଉଁମାନେ କରିବେ ନାହିଁ ସେମାନଙ୍କୁ ପୂରା ବିଲ୍ ଦେବାକୁ ହେବ। ପରବର୍ତ୍ତୀ ସମୟରେ ସେମାନେ ସବସିଡି ପାଇଁ ଆବେଦନ କରିବେ। ଦିଲ୍ଲୀ ସରକାରଙ୍କର ମାଗଣା ବିଦ୍ୟୁତ ସେବାର ଗ୍ରାହକଙ୍କୁ ମାସକୁ ୨୦୦ ୟୁନିଟ ବିଜୁଳି ଦିଆଯାଉଛି। ଏଥିରେ ୧୦୦ ପ୍ରତିଶତ ସବସିଡି ଦିଆଯାଉଛି। ତେବେ ଯେଉଁମାନେ ୪୦୦ରୁ ୮୦୦ ୟୁନିଟ ବ୍ୟବହାର କରୁଛନ୍ତି ସେମାନଙ୍କୁ ୫୦ ପ୍ରତିଶତ ସବସିଡି ଦିଆଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.