ପାୱାର ପ୍ରୋଜେକ୍ଟ ବୁଡ଼ାଳି ମରାମତି କର୍ମଚାରୀଙ୍କ ପାଣିରେ ବୁଡ଼ି ମୃତ୍ୟୁ
4/09/2022 at 11:30 PM

ଆନନ୍ଦପୁର ୦୪/୦୯: ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀରେ ଥିବା ବୈତରଣୀ ପାଓ୍ବାର ପ୍ରୋଜେକ୍ଟ ଜଳବିଦ୍ୟୁତ୍ ପ୍ରକଳ୍ପରେ ଘଟିଛି ଅଘଟଣ। ପାଣିଭିତରେ ବୁଡ଼ି ପ୍ରୋଜେକ୍ଟ ଗେଟ୍କୁ ମରାମତି କରିବା ବେଳେ ଜଣେ ପ୍ରଶିକ୍ଷିତ ବୁଡ଼ାଳି ମେଣ୍ଟେନାନ୍ସ ଟେକ୍ନିସିଆନଙ୍କ ମୃତ୍ଯୁ ହୋଇଛି। ମୃତକ ବିଶାଖାପାଟନମ୍ ଅଞ୍ଚଳର ନାଲୁ କିଶୋର। ପାୱାର ପ୍ରୋଜେକ୍ଟରେ ପ୍ରତିମାସରେ ଏହି ମେଣ୍ଟେନାନ୍ସ କାମ କରାଯାଏ। ସେଥିପାଇଁ ପ୍ରଶିକ୍ଷିତ ବୁଡ଼ାଳି ମେଣ୍ଟେନାନ୍ସ ଟେକ୍ନିସିଆନ୍ ଅକ୍ସିଜେନ୍ ସିଲିଣ୍ଡର ନେଇ ପାଣି ଭିତରେ ବୁଡ଼ି କାମ କରନ୍ତି।
ସେହିପରି ଆଜି ଗେଟ୍ ମରାମତି ପାଇଁ ପାଣିରେ ବୁଡ଼ି କାମ କରିବାବେଳେ ଗେଟ୍ରେ ଗୋଡ଼ ଫସିଯିବାରୁ ଆଉ ବାହାରକୁ ବାହାରି ପାରିନଥିଲେ। ସାଙ୍ଗରେ ଥିବା ୨ ସହଯୋଗି ଉଦ୍ଧାର ପାଇଁ ଚେଷ୍ଟାକରି ମଧ୍ୟ ବିଫଳ ହୋଇଥିଲେ। ବହୁତ ସମୟପରେ ଗେଟ୍ ଟେକାଯାଇ ତାଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ଯୁ ହୋଇଥିଲା ବୋଲି ପ୍ରୋଜେକ୍ଟ କର୍ତ୍ତୁପକ୍ଷ କହିଛନ୍ତି। ଖବରପାଇ ପୋଲିସ ମୃତଦେହ ଜବଦ କରି ଘଟଣାର ସତ୍ଯାସତ୍ଯ ଅନୁସନ୍ଧାନ ଚଳାଇଛି।