କୋଇଲା ଅଭାବ ବୋଲି ଅଭିଯୋଗ କରୁଛନ୍ତି ରାଜ୍ୟ,ଯୋଗାଣକାରୀ କମ୍ପାନୀକୁ ଦେଉ ନାହାନ୍ତି ବକେୟା ରାଶି; ବାକି ପଡ଼ିଛି ହଜାର ହଜାର କୋଟି

Published By : Prameya-News7 Bureau | May 01, 2022 IST

ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକର ପାୱାର ପ୍ଲାଣ୍ଟରେ କୋଇଲାର ଅଭାବ ଦେଖାଦେଇଛି। ଏନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଅଭିଯୋଗ କରୁଥିବା ରାଜ୍ୟମାନଙ୍କର ତ୍ରୁଟି ସାମ୍ନାକୁ ଆସିଛି। ଏହି ରାଜ୍ୟମାନେ କୋଇଲା ଯୋଗାଣକାରୀ କମ୍ପାନୀଗୁଡ଼ିକୁ ସେମାନଙ୍କର ବକେୟା ରାଶି ଦେଇ ନଥିବା ଜଣାପଡ଼ିଛି।

କୋଇଲା ଅଭାବର ଅଭିଯୋଗ କରୁଥିବା ରାଜ୍ୟଗୁଡ଼ିକ ଉପରେ କୋଇଲା ଯୋଗାଣକାରୀ କମ୍ପାନୀ କୋଲ ଇଣ୍ଡିଆ ଓ ସିଙ୍ଗରେନୀ କୋଲିୟରିଜ୍‌ରର କୋଟି କୋଟି ଟଙ୍କା ବାକି ରହିଛି।

ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟଙ୍କା ବାକି ରଖିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମରେ ରହିଛି ମହାରାଷ୍ଟ୍ର। ମହାରାଷ୍ଟ୍ର ରାଜ୍ୟ ପାୱାର ଜେନେରେସନ କମ୍ପାନୀ କୋଲ ଇଣ୍ଡିଆର ୨,୬୦୮,୦୭ କୋଟି ଟଙ୍କା ବାକି ରଖିଛି। ଦ୍ୱିତୀୟ ସ୍ଥାନରେ ରହିଛି ପଶ୍ଚିମଙ୍ଗ। ରାଜ୍ୟର 'ୱେଷ୍ଟବେଷ୍ଟଲ ପାୱାର ଡେଭଲପମେଣ୍ଟ କର୍ପୋରେସନ' ଉପରେ କୋଲ୍ ଇଣ୍ଡିଆରର ୧୦୬୬.୪୦ କୋଟି ଟଙ୍କା ବାକି ରହିଛି।

ସେହିପରି ଝାଡ଼ଖଣ୍ଡର ତେନୁଘାଟ ବିଦ୍ୟୁତ ନିଗମ ଲିମିଟେଡ୍ ଉପରେ କୋଲ ଇଣ୍ଡିଆର ୧୦୧୮.୨୨ କୋଟି ଟଙ୍କା ବାକି ରହିଥିବା ବେଳେ ତାମିଲାଡୁ ଆଉଣ୍ଡ ଡିଷ୍ଟ୍ରିବ୍ୟୁସନ କର୍ପୋରେସନ ଲିମିଟେଡ୍ ଉପରେ ୮୨୩.୯୧ କୋଟି, ମଧ୍ୟପ୍ରଦେଶର ପାୱାର ଜେନେରେସନ କମ୍ପାନୀ ୫୩୧.୪୨ କୋଟି, ରାଜସ୍ଥାନ ରାଜ୍ୟ ବିଦ୍ୟୁତ ଉତ୍ପାଦନ ନିଗମ ଲିମିଟେଡ୍ ଉପରେ ୪୨୯.୪୭ କୋଟି ଟଙ୍କା ବାକି ରହିଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ତେବେ କୋଲ୍ ଇଣ୍ଡିଆର କହିବା କଥା ହେଲା ଯେ ମହାରାଷ୍ଟ୍ର, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପାୱାରା ଜେନେରେସନ ସମ୍ବନ୍ଧିତ ବକେୟ ବହୁତ ଅଧିକ ରହିଛି। ତଥାପି କମ୍ପାନୀ ଏମାନଙ୍କୁ କୋଇଲା ଯୋଗାଇବାରେ କୌଣସି ଅବହେଳା କରି ନାହିଁ। ଉପସମୂହ ଯୋଜନା ଓ ରେକ୍‌ର ଉପଲବ୍ଧତା ଅନୁସାରେ କୋଇଲା ଆବଣ୍ଟନ କରାଯାଇଛି।

ଇଏ ଗଲା କୋଲ୍ ଇଣ୍ଡିଆ କମ୍ପାନୀର କଥା। ଅନ୍ୟପଟେ ସିଙ୍ଗରେନୀ କୋଲିୟରିଜ କମ୍ପାନୀର ମଧ୍ୟ ରାଜ୍ୟଗୁଡ଼ିକର ପାୱାର ପ୍ଲାଣ୍ଟରେ କୋଟି କୋଟି ଟଙ୍କାର ବକେୟା ରାଶି ପଡ଼ିଛି। ଏହି କମ୍ପାନୀର ଆନ୍ଧ୍ର ପ୍ରଦେଶର ବିଦ୍ୟୁତ ଉତ୍ପାଦନ ନିମଗ ଉପରେ ୭୬୪.୭୦ କୋଟି, କର୍ଣ୍ଣାଟକ ପାୱାର କର୍ପୋରେସନ ଲିମିଟେଡ୍ ଉପରେ ୫୧୪.୧୪ କୋଟି, ତାମିଲନାଡୁ ଏନର୍ଜୀର ୫୯.୧୯ କୋଟି ଓ ତାମିଲାନଡୁ ଜେନେରେସନ ଆଣ୍ଡ ଡିଷ୍ଟ୍ରିବ୍ୟୁସନ କର୍ପୋରେସନ ଲିମିଟେଡ୍‌ ଉପରେ ୩୨.୭୯ କୋଟି ଟଙ୍କା ବାକି ରହିଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ପାୱାର ପ୍ଲାଣ୍ଟର ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ୍ର ନିଜସ୍ୱ କ୍ୟାପ୍ଟିଭ୍ ବ୍ଲକ ରହିଛି। କୋଇଲା ନିୟନ୍ତ୍ରଣ ସଂଗଠନରୁ ମିଳିଥିବା ସୂଚନା ଅନୁସାରେ, ଏହି କ୍ୟାପ୍ଟିଭ୍ ବ୍ଲକ୍‌ରୁ ଉତ୍ପାଦନ ହେଉଥିବା ବିଜୁଳି ରାଜ୍ୟର ଆବଶ୍ୟକତା ପୂରା କରିବାରେ କ୍ଷମତା ରହିଛି ବୋଲି ସୂଚନା ମିଳିଛି।

ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ଉପରେ ବକେୟା  ରାଶି ରଖିଥିବା ଅଭିଯୋଗ କରିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଅଭିଯୋଗ ଆଣି କହିଛନ୍ତି ଯେ କେନ୍ଦ୍ର ସରକାର ୧.୩୦ ଲକ୍ଷ କୋଟି ଟଙ୍କାର ବାକି ରଖିଛନ୍ତି। ଯଦି କେନ୍ଦ୍ର ଏହି ଟଙ୍କାକୁ ଚୁକାଇଥାନ୍ତା ତେବେ ୟୁନିଟ୍ ପିଛା ୫୦ ଟଙ୍କାରେ ବିଜୁଳି କିଣି ଆବଣ୍ଟନ କରିଥାନ୍ତା ବୋଲି ଶ୍ରୀ ସୋରେନ୍ କହିଛନ୍ତି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ଉପରେ ହଜାର ହଜାର ଟଙ୍କା ବାକି ରହିଛି ବୋଲି ପୂର୍ବରୁ ଅଭିଯୋଗ ଆଣିସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.