ପେଟ୍ରୋଲ, ଡିଜେଲ ବାହାରିବା ନେଇ ପ୍ରକ୍ରିୟା ଆରମ୍ଭ, ପହଞ୍ଚିଲା ୧୧ ମେସିନ୍

Published By : Prameya-News7 Bureau | January 10, 2023 IST

କୋଣାର୍କ ୧୦/୦୧: ପୁରୀ ଜିଲ୍ଲା ଗୋପ ନିକଟସ୍ଥ କୁଶୁପୁରୁରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ବାହାରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ରବିବାର ୪ଟି ରାଜ୍ୟରୁ ୧୧ଟି ଅତ୍ୟାଧୁନିକ ମେସିନ ପହଞ୍ଚିଛି ।

ଏହି ଅତ୍ୟାଧୁନିକ ମେଶିନ ଦ୍ଵାରା ପ୍ରାୟ ୯ ଶହ ଫୁଟ ତଳୁ ବାହାରିବା ପଙ୍କ ଓ ମାଟି ବାଲିକୁ ନିଆଯାଇ ରିଫାଇନ କରାଯିବା ପ୍ରକ୍ରିୟା ଖୁବିଶୀଘ୍ର ଆରମ୍ଭ କରାଯିବ ବୋଲି ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ଏହା କେଉଁଠିକୁ କିପରି ବିଶୋଧନ କରାଯିବ । ସେ ସମ୍ପର୍କରେ କୌଣସି ଠିକ୍ ତଥ୍ୟ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇ ନାହିଁ ।

ମାତ୍ର ବିଶୋଧ ଲାଗି ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ସହିତ ଆଉ କେତେକ ରାଜ୍ୟରୁ ଏହି ଅତ୍ୟାଧୁନିକ ମେଶିନ ଆସିଥିବା ବେଳେ ଆହୁରି ଅତ୍ୟାଧୁନିକ ଯନ୍ତ୍ରାଂଶ ଆସିଛି । ଗୋପରେ ଗ୍ୟାସ, ତୈଳ ସନ୍ଧାନ ପ୍ରସଙ୍ଗ ନେଇ ମଧ୍ୟ ସୂଚନା ମିଳିଛି । କିନ୍ତୁ ଏହି କାର୍ଯ୍ୟ ୪ / ୫ ମାସ ଲାଗିବ । ପ୍ରକାଶ ଯେ , ଗୋପ ବ୍ଲକ କୁଶୁପୁରୁ , ମହଲପଡା ପଞ୍ଚାୟତର ଚିତ୍ରା ଗ୍ରାମରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ , ଡିଜେଲ ବାହାରିବା ସନ୍ଧାନ ମିଳିବା ପରେ ୨ଟି ପର୍ଯ୍ୟାୟରେ ଖୋଳିବା କାମ ଶେଷ ହୋଇଥିଲା ।

ପରେ କୁଶୁପୁରୁ ଅଞ୍ଚଳର ୮ ଏକର ଜମି ଚିହ୍ନଟ କରାଯାଇ ୩୭ ଜଣ ଚାଷୀଙ୍କ ଜମିକୁ ଲିଜ୍ ଆକାରରେ ନିଆଯାଇ ୯୭ ଲକ୍ଷ ଟଙ୍କା ବ୍ୟାଙ୍କ ଚେକ୍ ମାଧ୍ୟମରେ ଚୁକ୍ତିପତ୍ର ସ୍ୱାକ୍ଷରିତ କରାଯାଇ ଦିଆଯାଇ ଥିଲା । କୁଶୁପୁରୁରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ବାହାରିବା ନେଇ କମ୍ପାନୀ ପକ୍ଷରୁ କାର୍ଯ୍ୟ ଚାଲିଥିଲାବେଳେ ପ୍ରଥମେ ୩ଟି ଅସ୍ଥାୟୀ ପୋଖରୀ ଭିତରେ କେମିକାଲ ଷ୍ଟକ ଗୃହ ମେସିନ ପିଣ୍ଡି ଶେଷ ହେବା ପରେ ଏହି ମେଶିନ ମାଧ୍ୟମରେ ରି-ଫାଇନ କାର୍ଯ୍ୟ ଆରମ୍ଭ ହେବ ।

ସୂଚନାଯୋଗ୍ୟ , ୨୦୨୦ ମସିହାରୁ ଅଏଲ ଏଣ୍ଡିଆ କମ୍ପାନୀ ପକ୍ଷରୁ ଗୋପ ବ୍ଲକର ବିଭିନ୍ନ ପଞ୍ଚାୟତର ଗାଁ , ଚାଷ ଜମିଗୁଡ଼ିକରେ ବୋରିଂ କରାଯାଇ କାର୍ଯ୍ୟ ହୋଇଥିଲା । ପରେ ସାଟଲାଇଟ ସର୍ଭେ ସହିତ ପରୀକ୍ଷା କରିବାରୁ ପର୍ଯ୍ୟାପ୍ତ ପରିମାଣର ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ , ଡିଜେଲ ଏହି ଦୁଇଟି ସ୍ଥାନରେ ଥିବା ଜଣାପଡିଥିଲା । ଅତ୍ୟାଧୁନିକ ଯନ୍ତ୍ରାଂଶ ଓ ମେଶିନ ଦ୍ଵାରା ଏହି କାର୍ଯ୍ୟ ଆରମ୍ଭ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.