ହାଣ୍ଡିଶାଳରେ ଆଳୁର ମହଙ୍ଗା ମାଡ଼, ୩ ଦିନରେ ବଢିଲାଣି ୮ ଟଙ୍କା

Published By : Prameya-News7 Bureau | April 13, 2024 IST

ଭୁବନେଶ୍ଵର: ବଢ଼ିଲା ଆଳୁ ଦର । ମାତ୍ର ୩ ଦିନ ମଧ୍ୟରେ କିଲୋ ପିଛା ବଢ଼ିଛି ୮ ଟଙ୍କା । ରାଜ୍ୟରେ ଉତ୍ପାଦନ କମ ହେବା ସହ ପଶ୍ମିମବଙ୍ଗରୁ ଆସୁଥିବା ଆଳୁ ଦର ଅଧିକ ଥିବାରୁ ଦର ବୃଦ୍ଧି ପାଇଛି । ତେବେ ୨୨ ରୁ ୨୪ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ଆଳୁ କିଲୋ ପିଛା ୩୦ ରୁ ୩୫ ଟଙ୍କାରେ ବିକ୍ରି ହେଉଛି । ଏହି ବର୍ଦ୍ଧିତ ଦର ପୁଣି ଖାଉଟିଙ୍କୁ ଚିନ୍ତାରେ ପକାଇଛି। 

ହାଣ୍ଡିଶାଳରେ ଆଳୁର ମହଙ୍ଗା ମାଡ଼ ।  ଆଳୁୁଦର କିଲୋଗ୍ରାମ ପିଛା ହେଲାଣି ୩୦ ରୁ ୩୫ ଟଙ୍କା । ମାତ୍ର ୩ ଦିନ ମଧ୍ୟ ୮ ଟଙ୍କା ବଢ଼ିଛି ଆଳୁ ଦର। ହଠାତ୍ ଆଳୁ ଦର ବଢ଼ିଥିବାରୁ ଖାଉଟି ପୁଣି ଚିନ୍ତାରେ । ବଜାରରେ ପରିବା ଦାମ ଅଧିକ ଥିବାବେଳେ ଆଳୁ ଦର କମ ରହିଥିଲା। ଯେଣେ ତେଣେ ପ୍ରକାରେ ଗରିବ ଓ ମଧ୍ୟବିତ ପରିବାରର ଭାତ ହାଣ୍ଡି ଏହି ଆଳୁ ପାଇଁ ଉଠିଯାଉଥିଲା । ହେଲେ ନିତ୍ୟ ବ୍ୟବହାର୍ଯ୍ୟ ଆଳୁ ଦାମ୍ ହଠାତ୍ ବୃଦ୍ଧି ପାଇବା ପରେ ଘରର ବଜେଟ ଏପଟ ସେପଟ ହେଲାଣି । ଆବଶ୍ୟକତାଠାରୁ କମ ମାତ୍ରରେ ଆଳୁ କିଣିବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ। ଏପଟେ ଦର ବଢ଼ିଥିବାରୁ ବେପାର କମିବାକୁ ନେଇ ଆଶଙ୍କାରେ ଆଳୁ ବ୍ୟବସାୟୀ । 

Also read: ବର୍ଣ୍ଣବିଟାକୁ ହେଲ୍ଥ ଡ୍ରିଙ୍କ୍ ତାଲିକାରୁ ହଟାଇବାକୁ ଇ-କମର୍ଶ କମ୍ପାନୀକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ଆଗକୁ ଆଳୁ ଦର ଆହୁରି ବୃଦ୍ଧି ପାଇବାର ଆଶଙ୍କା କରିଛି ଓଡ଼ିଶା ବ୍ୟବସାୟୀ ସଂଘ। ତେବେ ଆଳୁଦର ବୃଦ୍ଧି ପାଇବାର କଣ ରହିଛି କାରଣ ? ରାଜ୍ୟରେ ଆଳୁ ଉତ୍ପାଦନ କମ ଥିବାବେଳେ ଅନ୍ୟ ରାଜ୍ୟ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଉପରେ ଓଡ଼ିଶା ନିର୍ଭର କରି ଆସୁଛି । ପଶ୍ଚିମ ବଙ୍ଗରୁ ଆସୁଥିବା ଆଳୁ ଦର ବଢ଼ିଥିବାରୁ ରାଜ୍ୟରେ ଆଳୁ ଦର ବଢ଼ିଛି । ପୂର୍ବରୁ କ୍ବିଣ୍ଟାଲ୍ ପିଛା ଆଳୁ ୧୮୦୦ ବା ୧୯୦୦ ଟଙ୍କାରେ କିଣା ହେଉଥିବାବେଳେ ବର୍ତ୍ତମାନ ତାହା ୨୧୦୦ ଟଙ୍କାକୁ ବୃଦ୍ଧି ପାଇଛି । 

ଗୋଟେ ପଟେ ଓଡ଼ିଶାରେ ୭୦ ରୁ ୮୦ ହଜାର ଟନ ଆଳୁ ଉତ୍ପାଦନ ହେଉଥିବାବେଳେ ବଜାରକୁ ମାତ୍ର ୪୦ ରୁ ୫୦ ହଜାର ଟନ ଆସି ପାରୁଛି ।  ଯାହାକି ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ବେଶ କମ ରହିଛି । ଆଉ ସେହି ଯାଗାରେ ପଶ୍ଚିମବଙ୍ଗରେ ୧୨୦ ଲକ୍ଷ ଟନ ଆଳୁ ଉତ୍ପାଦନ ହେଉଛି । ପଶ୍ଚିମବଙ୍ଗ ଆଳୁ ଦର ବଢ଼ିଥିବାରୁ ଏହାର ପ୍ରଭାବ ଓଡ଼ିଶାରେ ପଡ଼ୁଛି । ଏପଟେ ଅତ୍ୟଧିକ ଖରା ଥିବାରୁ ଆଳୁ ପଚିଯାଉଛି । କୋଲ୍ଡ ଷ୍ଟୋରରେ ଥିବା ଆଳୁ ବାହାରିବା ଯାଏଁ ବର୍ତ୍ତମାନ ଆଳୁ ଦର ଏମିତି ରହିବ ବୋଲି ଜଣା ପଡ଼ିଛି । ଆଗକୁ ଆଳୁ ପରେ ଡାଲି ଦର ବୃଦ୍ଧିକୁ ନେଇ ମଧ୍ୟ ଆଶଙ୍କା କରିଛି ଓଡ଼ିଶା ବ୍ୟବସାହୀ ସଂଘ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.