ଆଳୁ କହୁଛି ମୋତେ ଛୁଉଁନା, ପିଆଜକୁ ଅନେଇଲେ ଆଖିରେ ଲୁହ, ବିଚାର ଖାଉଟି…

Published By : Prameya-News7 Bureau | November 27, 2020 IST

ଭୁବନେଶ୍ଵର ୨୭।୧୧:  ବଜାରରେ ଆଳୁଦର ସଂପ୍ରତି ଆକାଶଛୁଆଁ ରହିଛି।  ଅତି ବ୍ୟବହାର୍ଯ୍ୟ ଏହି ପରିବାର ଦାମ ଥମିବାର ନାଁ ଧରୁନାହିଁ।  ଗତ କିଛି ଦିନ ମଧ୍ୟରେ ଖୁଚୁରା ବଜାରରେ ଆଳୁ କେଜି ୫୦ ତଳକୁ ଖସୁନଥିବା ବେଳେ ପିଆଜ ଦର ୭୦ ଛୁଇଁଲାଣି ।  ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ ନୂଆ ମାଲ୍ ଆସିବା ପରେ ଦର କମିପାରେ ବୋଲି ବ୍ୟବସାୟୀ କହିଛନ୍ତି।

କାର୍ତ୍ତିକ ମାସରେ ଆଇଁଷ ସାଙ୍ଗକୁ ପିଆଜ ଛାଡ଼ିଥିବା ଲୋକେ ଏବେ ଆଳୁ ଭର୍ତ୍ତା ବି ଖାଇବା ବନ୍ଦ କରି ଦେବେ। ଏହା ପୂର୍ବରୁ  ଅନ୍ୟ ପରିବା ଦର ୬୦ ଉପରେ ରହିଛି। ଏତିକି ବେଳେ ଆଳୁ  କିଲୋ ୫୦ ଧରିଲାଣି। ଦୁଇ ସପ୍ତାହ ତଳେ ଆଳୁ ୩୦ରୁ  ୩୫ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ଏବେ ଏମିତି ଦର ବଢ଼ିବା ଗ୍ରାହକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ଦୀର୍ଘ ଦୁଇ ମାସରୁ ଅଧିକ ହେବ ଅତ୍ୟାବଶ୍ୟକ ସାମଗ୍ରୀର ଦର କମୁନି ଯାହା ଖାଉଟିଙ୍କ ଚିନ୍ତା ବଢାଇଦେଇଛି । ଏପରିକି ବରା ଚପ, ପିଆଜୀ କିମ୍ବା ଫାଷ୍ଟ ଫୁ଼ଡ ଦୋକାନ କରି ପେଟ ପୋଷୁଥିବା ଛୋଟଛୋଟ ବେପାରୀ ବି ଚିନ୍ତାରେ ପଡ଼ିଲେଣି। ସରକାରଙ୍କ ନିୟନ୍ତ୍ରଣ ରହୁନଥିବାରୁ  ଦର ବେଲଗାମ ହେଉଥିବା  ଅଭିଯୋଗ କରିଛନ୍ତି ଖାଉଟି।

ଆଳୁ ଦର ବଢ଼ିବା ନେଇ ଚିରାଚରିତ ଉତ୍ତର ବି ପ୍ରସ୍ତୁତ ହୋଇ ରହିଛି ।  ଚଳିତ ବର୍ଷ ଉତ୍ପାଦନ କମ ହୋଇଛି। ଏମିତିକି ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଆଳୁ ଉତ୍ପାଦନ ଯଥେଷ୍ଟ ହୋଇନାହିଁ।  ନୂଆ ଆଳୁ ବଜାରକୁ ଆସିବାକୁ ସମୟ ଲାଗିବ। ଭୁବନେଶ୍ବରରେ ଆଳୁକୁଇଣ୍ଟାଲ  ପ୍ରତି ୩୯୦୦ ଟଙ୍କାରୁ ୪ ହଜାର ଟଙ୍କା ମଧ୍ୟରେ ରହିଥିବା ବେଳେ  ଖଚୁରା ବଜାରରେ  ୫୦ ଟଙ୍କାରେ ବିକ୍ରି ହେଉଛି ଆଳୁ।

ସରକାର  ରାଜ୍ୟରୁ ଉତ୍ପାଦିତ ଆଳୁକୁ  ଗଛିତ କରିବା ଓ ଏାହାର ରକ୍ଷଣାବେକ୍ଷଣ ସହ ଆଳୁ ଉତ୍ପାଦନ ବଢ଼ାଇବା  ପାଇଁ ପଟାଟୋ  ମିଶନ କରିଥିଲେ । ଏହା କେତେ ସଫଳ ହୋଇଛି ତାହା ଖାଉଟି ଅନୁଭବ କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.