ସରିଲା ମୃତଦେହ ବ୍ୟବଚ୍ଛେଦ; ୩ ଝିଅ ନେଲେ ଗୋବିନ୍ଦଙ୍କ ମର ଶରୀର
21/12/2022 at 10:39 PM

ବଲାଙ୍ଗୀର ୨୧/୧୨: ଡାକ୍ତରଖାନାରେ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତଦେହ ବୁଧବାର ବ୍ୟବଚ୍ଛେଦ କରାଯାଇଛି। ଦୀର୍ଘ ସାଢ଼େ ତିନି ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ବ୍ୟବଛେଦ। ଏହି ବ୍ୟବଚ୍ଛେଦରେ ୩ ଜଣ ଡାକ୍ତର ସାମିଲ୍ ଥିଲେ। ଏହା ସହିତ ବ୍ୟବଚ୍ଛେଦ ବେଳେ ସେଠାରେ ମାଜିଷ୍ଟ୍ରେଟ, ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଏହି ସମୟରେ ଭିଡିଓଗ୍ରାଫି ମଧ୍ୟ ହୋଇଥିଲା। ବ୍ୟବଚ୍ଛେଦ ପରେ ଗୋବିନ୍ଦର ମୃତଦେହକୁ ତାର ୩ ଝିଅଙ୍କୁ ହସ୍ତାନ୍ତର କରାଯାଇଛି।
ସେପଟେ କଣ୍ଟାବାଞ୍ଜି ପହଞ୍ଚି ଥାନାରୁ କେସକୁ ହସ୍ତାନ୍ତର ନେବା ପରେ ଜେଲକୁ ଯାଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମମିତାଙ୍କ ଜବତ ହୋଇଥିବା ଦେହାବଶେଷ ସହ ତାଙ୍କ ବାପା ମାଆଙ୍କ ଡିଏନଏ ମିଶୁନଥିବା ଗୋବିନ୍ଦଙ୍କ ଓକିଲ ଅଭିଯୋଗର ସ୍ପଷ୍ଟୀକରଣ ରଖିଛନ୍ତି ଉତ୍ତରାଞ୍ଚଳ ଆଇ ଜି ଦୀପକ କୁମାର। ସେ କହିଛନ୍ତି ଯାହା ସବୁ ହାଡ଼ ମିଳିଥିଲା ତାହା ଅଧା ଜଳିଯାଇଥିଲା। ଗୋଟିଏ ହାଡ଼ ଯାହା ଜଳି ନଥିଲା ସେଥିରୁ ମମିତାଙ୍କ ମାଆ ଓ ବାପାଙ୍କ ଡିଏନଏ ସହ ମିଶୁଛି ଯାହାର ହାଇଦ୍ରାବାଦର ରିପୋର୍ଟ ଆମ ପାଖରେ ଅଛି ବୋଲି ସେ କହିଥିଲେ। ସେପଟେ ଗୋବିନ୍ଦଙ୍କ ପକେଟରୁ ମିଳିଥିବା ମାଟିଆ ରଙ୍ଗର ଲଫାପା ଏବେ ସନ୍ଦେହ ସୃଷ୍ଟି କରିଛି।
ସୂଚନାଥାଉକି, ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅବିଯୁକ୍ତ ଗୋବିନ୍ଦ ସାହୁ ଜେଲ ଭିତରେ ଆତ୍ମହତ୍ୟା କରିଥିଲା। ଜଣେ କଏଦି ହାତ ଧୋଇବାକୁ ଆସି ଏହା ଦେଖିଥିଲେ। ଗୋବିନ୍ଦ ଯେଉଁଦିନ ଆତ୍ମହତ୍ୟା କରିଥିଲେ ସେଦିନ ସେ କୋର୍ଟରେ ହାଜର ହୋଇଥାଆନ୍ତେ। ବଲାଙ୍ଗୀର ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଯେ ଆଇଓ(ତଦନ୍ତ ଅଧିକାରୀ) ଦାୟିତ୍ୱରେ ଥିଲେ ସେ ଜେଲ୍କୁ ତାଙ୍କୁ ନେବାକୁ ଯାଇଥିଲେ। ସେଠାରେ ସେ ଗୋବିନ୍ଦର ଆତ୍ମହତ୍ୟା ଖବର ପାଇଥିଲେ। ପରେ ଗୋବିନ୍ଦର ମୃତ ଦେହ ଉଦ୍ଧାର କରି ଡାକ୍ତରଖାନାକୁ ଅଣା ଯାଇଥିଲା।