ଗୋଆ ଗସ୍ତ ପୂର୍ବରୁ ମମତା ବାନାର୍ଜୀଙ୍କ ବ୍ୟାନର-ପୋଷ୍ଟର ଚିରି ପକାଇଲେ ଦୁର୍ବୃତ୍ତ, ଏହାକୁ ବିଜେପିର ‘ଅସହିଷ୍ଣୁତା’ କହିଲା ଟିଏମସି

Published By : Prameya-News7 Bureau | October 27, 2021 IST

ନୂଆଦିଲ୍ଲୀ ୨୭/୧୦: ଆସନ୍ତାବର୍ଷ ଆରମ୍ଭରୁ ଗୋଆରେ ବିଧାନସଭା ନିର୍ବାଚନ  ହେବାକୁ ଥିବା ବେଳେ ସରଗରମ ହୋଇଛି ରାଜନୀତି। ଏହାରି ଭିତରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗୁରୁବାର (ଅକ୍ଟୋବର ୨୮) ରୁ ୫ ଦିନିଆ ଗୋଆ ଗସ୍ତରେ ଯିବେ। । ତାଙ୍କର ଗସ୍ତ ପୂର୍ବରୁ ଗୋଆର ଅନେକ ସ୍ଥାନରେ ମମତା ବାନାର୍ଜୀଙ୍କ ବ୍ୟାନର, ପୋଷ୍ଟର, ହୋର୍ଡିଂରେ କାଳି ଫିଙ୍ଗିବା ସହ ଚିରି ପକାଇଛନ୍ତି ଦୁର୍ବୃତ୍ତ।

ସେପେଟ ତୃଣମୂଳ କଂଗ୍ରେସ ଏଥିପାଇଁ ବିଜେପିକୁ ଦାୟୀ କରିଛି। ଏହାକୁ ନେଇ ଟିଏମସି ସାଂସଦ ଡେରେକ ଓବ୍ରାୟନ୍‌ କହିଛନ୍ତି, ‘ବର୍ତ୍ତମାନ ଦେଶର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କୁ ଅପମାନ କରାଯାଇଛି। ଆମେ ସବୁ ଜାଣିଛେ ଏହା ଗୋଆର ସଂସ୍କୃତି ନୁହେଁ।’  ଅନ୍ୟପଟେ ଗୋଆର ଟିଏମସି ସଙ୍ଗଠନ ଉପରେ ଗୁରୁତର ଅଭିଯୋଗ ଆଣିଛି ରାଜ୍ୟ ବିଜେପି।

ଟିଏମସି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆରେ କାର୍ଟୁନ ସେୟାର କରାଯାଇଥିଲା। ଯେଉଁଥିରେ ମମତା ବାନାର୍ଜୀ  ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା, ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ପାଦରେ ଦଳ ମକଚି ଦେଉଥିବା ଦେଖିବାକୁ ମିଳିଥିଲ।। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ବିଜେପିର ଅଭିଯୋଗ ପରେ ଏହି ଟ୍ବିଟ୍‌କୁ ହଟାଇ ଦିଆଯାଇଥିବା କୁହାଯାଉଛି।

ତେବେ ଗୋଆରେ ମମତା ବାନାର୍ଜୀଙ୍କ ଫଟୋ ଥିବା ପୋଷ୍ଟର,  ବ୍ୟାନର ଆଦି ଚିରିବାକୁ ନେଇ ଟିଏମସି ନେତା ନାପସନ୍ଦ କରିଥିବା ବେଳେ ବିଜେପି ଉପରେ ବର୍ଷିଛନ୍ତି। ଟିଏମସି ସାଂସଦ ଡେରେକ ଓବ୍ରାୟନଙ୍କ ମତରେ ଯଦି ବିଜେପି ଟିଏମସି ସହ ଲଢ଼ିବାକୁ ଚାହୁଁଛି ତେବେ ରାଜନୈତିକ ଢ଼ଙ୍ଗରେ ଲଢ଼ୁ। ଏହା ବ୍ୟତୀତ ଗୋଆ ଟିଏମସିର ରାଜ୍ୟ ଅଧ୍ୟକ୍ଷ ଯତୀଶ ନାୟକ କହିଛନ୍ତି, ଏଭଳି କାର୍ଯ୍ୟ ବିଜେପିର ଅସହିଷ୍ଣୁ ବ୍ୟବହାରକୁ ଦର୍ଶାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.