ପୋଷ୍ଟରରେ ଧମକ : ହିଂସାକାଣ୍ଡରେ ସେବାୟତଙ୍କ ସଂପୃକ୍ତି ନାହିଁ, ଆକ୍ସନ ନେଲେ ପରିସ୍ଥିତି ଭୟଙ୍କର ହେବ
Published By : Prameya-News7 Bureau | October 05, 2018 IST

ପୁରୀ ୫/୧୦: ସିଂହଦ୍ବାରରେ ପୋଷ୍ଟର୍ । ଏଥର ଶ୍ରୀମନ୍ଦିର ପ୍ରଶାସନ ନୁହେଁ, ବରଂ ସେବାୟତମାନେ ମାରିଛନ୍ତି ଏହି ପୋଷ୍ଟର୍ । ତେବେ କାହିଁକି ସେବାୟତମାନେ ପୋଷ୍ଟର ମାରିଲେ ? କଣ ସେଥିରେ ଲେଖା ଅଛି ? କଣ କହିବାକୁ ଚାହୁଁଛନ୍ତି ସେବାୟତମାନେ ।
ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍ ଏସବୁ ଦିଗର ତଦନ୍ତ ଚଳାଇଥିବା ବେଳେ ସେବାୟତମାନେ ନିଜ ତରଫରୁ ଦେଇଛନ୍ତି ସଫେଇ । ସିଂହଦ୍ବାର ସମେତ ଅନ୍ୟ ୩ ଦ୍ବାରରେ ଲାଗିଛି ପୋଷ୍ଟର୍ । ହାତଲେଖା ପୋଷ୍ଟର ଛତିଶା ନିଯୋଗ ମାରିଥିବା ବେଳେ ଦସ୍ତଖତ କରିଛନ୍ତି ସମସ୍ତ ସେବାୟତ । ୩ ତାରିଖ ବନ୍ଦ ବେଳେ ଘଟିଥିବା ହିଂସାକାଣ୍ଡରେ କୌଣସି ସେବାୟତଙ୍କର ସଂପୃକ୍ତି ନଥିବା ପୋଷ୍ଟରରେ ଲେଖା ହୋଇଛି । ସିସିଟିଭି ଓ ଭିଡିଓ ଫୁଟେଜ୍ ଦେଖି ତଦନ୍ତ କରାଯାଉ । ଆଉ ଯଦି ଆକ୍ରୋଶମୂଳକ ଭାବେ ସେବାୟତଙ୍କ ବିରୋଧରେ କିଛି ପଦକ୍ଷେପ ନିଆଯାଏ, ତେବେ ପରିସ୍ଥିତି ଆଗକୁ ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ସେବାୟତ ।
ହିଂସାକାଣ୍ଡରେ ସଂପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ । ଆଇନ ଅନୁଯାୟୀ ଆକ୍ସନ ହେବ ବୋଲି ଗତକାଲି ସ୍ଥିତି ଅନୁଧ୍ୟାନ ପରେ କହିଥିଲେ ପୋଲିସ୍ ମହାନିର୍ଦ୍ଦେଶକ । ହିଂସାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ୧୯ ଜଣଙ୍କୁ ଗତକାଲି ପୋଲିସ୍ ଗିରଫ କରିଥିବା ବେଳେ ଆଜି ସେବାୟତମାନେ ମାରିଛନ୍ତି ପୋଷ୍ଟର୍ । ଦକ୍ଷିଣା ବନ୍ଦ ଏବଂ ବଂଶାନୁକ୍ରମିକ ସେବା ପ୍ରଥା ଉଚ୍ଛେଦ ପ୍ରତିବାଦରେ ସେବାୟତମାନେ ବନ୍ଦକୁ ସମର୍ଥନ କରିଥିଲେ । କିନ୍ତୁ ହିଂସାକାଣ୍ଡରେ ସେମାନଙ୍କର ଆଦୌ ସଂପୃକ୍ତି ନଥିବା ସେମାନେ କହିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ପ୍ରଶାସନ, ସଂସ୍କାର ପାଇଁ ପଦକ୍ଷେପ ନେଇଥିଲା । କିନ୍ତୁ ଦିନେ ଯାଇନି ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀରେ ହେଲା ଲଙ୍କାକାଣ୍ଡ । ଯାହାକୁ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଗୁରୁତ୍ବର ସହ ନେଇଛନ୍ତି । ଖୁବ୍ ଶୀଘ୍ର ସେ ପୁରୀ ଆସିବା ସମ୍ଭାବନା ରହୁଛି ।