ସ୍ୱାଧୀନତା ଦିବସ ପୂର୍ବରୁ ଲାଲକିଲ୍ଲାରେ ହୋଇପାରେ ଆତଙ୍କୀ ଆକ୍ରମଣ: ହାଇଆଲର୍ଟ ଜାରି; ଡ୍ରୋନ୍‌ରେ ଅସ୍ତ୍ରଶସ୍ତ୍ର ପଠାଇଛି ପାକିସ୍ତାନ

Published By : Prameya-News7 Bureau | August 13, 2022 IST

ଗୁଇନ୍ଦା ବିଭାଗ ଜାରିକଲା ଜରୁରୀ ସତର୍କତା

ପ୍ରଚୁର ଅସ୍ତ୍ରଶସ୍ତ୍ର ପଠାଇଛି ପାକିସ୍ତାନ

ଲାଲକିଲ୍ଲାର ଆଖପାଖ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି  

ନୂଆଦିଲ୍ଲୀ ୧୩/୦୮: କୌଣସି ମୁହୁର୍ତ୍ତରେ ହୋଇପାରେ ଆକ୍ରମଣ। ଏନେଇ ସୂଚନା ଦେଇ ସତର୍କତା ଜାରି କଲା ଗୁଇନ୍ଦା ବିଭାଗ। ଖବର ଅନୁସାରେ ଆସନ୍ତା ଅଗଷ୍ଟ ୧୫ ତାରିଖ ଭାରତ ୭୬ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। କିନ୍ତୁ ଶତୃମାନେ ଏହି ସୁଯୋଗକୁ ଲକ୍ଷ କରି ଲାଲକିଲ୍ଲାରେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି। ଏହି ଆକ୍ରମଣ ପାଇଁ ମଧ୍ୟ ଆମ ଦେଶର ବିଭିନ୍ନ ଜାଗାରେ ଆଇଡି (ବିସ୍ଫୋରକ) ପହଞ୍ଚି ସାରିଛି।

ପାକିସ୍ତାନର ପଞ୍ଜାବ ସୀମା ଦେଇ ଡ୍ରୋନ୍‌ଦ୍ୱାରା ଏହି ଆଇଡିଗୁଡ଼ିକ ଭାରତରେ ପହଞ୍ଚିଥିବା ସୂଚନା ମିଳିଛି। ପଞ୍ଜାବ ତଥା ବିଭିନ୍ନ ରାଜ୍ୟରୁ ଗିରଫ ହୋଇଥିବା ଆତଙ୍କବାଦୀମାନଙ୍କୁ ପଚରାଉଚୁରା ସମୟରେ ଏପରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଗିରଫ ଆତଙ୍କବାଦୀମାନେ କହିଛନ୍ତି ଯେ, ବହୁ ଦିନ ପୂର୍ବରୁ ଡ୍ରୋନ୍‌ ସାହାଜ୍ୟରେ ଅଧିକ ମାତ୍ରାରେ ଆଇଡି ଭାରତର ବିଭିନ୍ନ ଜାଗାକୁ ପଠାଯାଇସାରିଛି।

ଗୁଇନ୍ଦା ବିଭାଗ କହିଛିଯେ ଡ୍ରୋନ ମାଧ୍ୟମରେ ଆଇଡି ବ୍ୟତିତ ଆଧୁନିକ ଘାତକ ଅସ୍ତ୍ରଶସ୍ତ୍ର ଏକେ-୪୭ ରାଇଫଲ, ହ୍ୟାଣ୍ଡ ଗ୍ରେନେଡ୍‌, ପିସ୍ତଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପଠାଇଛନ୍ତି। କିଛି ଅସ୍ତ୍ରଶସ୍ତ୍ରକୁ ସୀମା ସୁରକ୍ଷା ବଳ ଜବତ କରିଥିଲା। କିନ୍ତୁ ଏହା ସତ୍ତ୍ୱେ ଶତୃମାନେ ସେନାକୁ ଚକମା ଅନେକ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଇସାରିଛନ୍ତି।      

ଗୁଇନ୍ଦା ବିଭାଗ ସୂଚନା ଜାରି କରି କହିଛିଯେ ଅଗଷ୍ଟ ୧୫ରେ ବିଭିନ୍ନ ଜାଗାରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ସ୍ଥାନରେ ଆତଙ୍କବାଦୀ ଧାରୁଆ ଅସ୍ତ୍ର କିମ୍ୱା ଏକ ବଡ଼ ଗାଡ଼ିରେ ଭୟାନକ ଆକ୍ରମଣ କରିପାରନ୍ତି।

ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ଶତୃମାନେ ମଧ୍ୟ ଲାଲକିଲ୍ଲା ଉପରେ ଗୁଡ଼ି ଆକ୍ରମଣ କରିବାର ଯୋଜନା କରିଛନ୍ତି। ସେଥିପାଇଁ ଲାଲକିଲ୍ଲା ଆଖପାଖ ଅଞ୍ଚଳରେ ଗୁଡ଼ି ଉଡ଼ାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯିବା ସହିତ ଆକାଶ ମାର୍ଗରେ ଗତିବିଧି କଡ଼ାକଡ଼ି ନଜରରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.