ଟିକା ନେଲା ପରେ ବି କରୋନା ପଜିଟିଭ୍, ଅନ୍ୟମାନଙ୍କୁ କରିପାରିବେ ସଂକ୍ରମିତ : ବଢିଲା ଚିନ୍ତା

Published By : Prameya-News7 Bureau | July 16, 2021 IST

ଭୁବନେଶ୍ୱର,୧୬/୦୭:    ଟିକା ନେବା ପରେ ବି ଲୋକେ ସଂକ୍ରମିତ ହେଉଛନ୍ତି । ବିଶେଷ କରି ଡବଲ୍‌ ଡୋଜ୍‌ ପରେ ମଧ୍ୟ ପଜିଟିଭ୍‌ ବାହାରୁଛନ୍ତି । ସେମାନେ ଗୁରୁତର ହେଉନାହାନ୍ତି ସତ ହେଲେ ଅନ୍ୟମାନଙ୍କୁ ଆକ୍ରାନ୍ତ କରିପାରିବେ । ସରକାର ଏ କଥା କହିବା ପରେ ଟିକା ନେଇ ନିଜକୁ ସୁରକ୍ଷିତ ଭାବୁଥିବା ଲୋକଙ୍କ ଚିନ୍ତା ବଢିଛି ।କରୋନା ନ କମିବା ଯାଏ ଆମକୁ ସତର୍କ ରହିବାକୁ ହେବ । ଯେତେବେଳେ ବି ବାହାରିବା ମାସ୍କ ପିନ୍ଧିବା ଆଉ କରୋନା ଗାଇଡ଼ଲାଇନକୁ ମାନିବା ।ଆରଏମ୍‌ଆରସି ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ମଧ୍ୟ ସମାନ କଥା କହିଛନ୍ତି ।

ଟିକା କରୋନା ସଂକ୍ରମଣକୁ ରୋକି ପାରିବନି, କିନ୍ତୁ ଗୁରୁତର ହେବାରୁ ରକ୍ଷା କରିବ । ସାଧାରଣ ଭାଇରଲ ଫ୍ଲୁ ସମସ୍ତଙ୍କୁ ହେଉଛି । ଆମେ ଡରୁନୁ । କାରଣ ଏହା ଗୁରୁତର କରୁନି । ତେଣୁ ଟିକା ନେବା ପରେ ସାଧାରଣ ଲକ୍ଷଣ ଦେଖାଯାଉଛି । ଖାଲି ଭାରତୀୟ ଟିକା ନୁହେଁ, ଆମେରିକାଠୁ ଆରମ୍ଭ କରି ବିଦେଶରେ ଦିଆଯାଉଥିବା ଟିକା (ଡବଲ ଡୋଜ୍‌) ପରେ ବି ଲୋକେ ସଂକ୍ରମଣ ହେଉଛନ୍ତି । ଏହାକୁ ବ୍ରେକ୍‌ ଥ୍ରୁ ଇନ୍‌ଫେକସନ୍‌ କୁହାଯାଉଛି । ଟିକା ନେବା ପରେ କାହିଁକି ଲୋକେ ପଜିଟିଭ୍‌ ହେଉଛନ୍ତି ଏହାର ଅନୁସନ୍ଧାନ ପାଇଁ ରାଜ୍ୟରେ ଏକ କମିଟି ଗଠନ ହୋଇଥିଲେ ମଧ୍ୟ କିଛି ସ୍ପଷ୍ଟ ଚିତ୍ର ମିଳିପାରିନି । ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି, ଡବଲ୍‌ ଡୋଜ୍‌ ଟିକା ନେବା ପରେ ମଧ୍ୟ ଦେଶରେ ୧୦୦୦ରେ ୪ ଜଣ ପାଖାପାଖି ପଜିଟିଭ୍‌ ହେଉଛନ୍ତି । କୋଭିସିଲ୍ଡ୍‌ରେ ଏହା ୪ ରହୁଥିବା ବେଳେ କୋଭାକ୍ସିନ୍‌ରେ ୩ ରହୁଛି । ଓଡ଼ିଶାରେ ମଧ୍ୟ ବହୁ କେସ୍‌ ଏମିତି ସାମ୍ନାକୁ ଆସୁଛି ।

ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୦୭୦କୁ ବଢିଛି । ନମୁନା ପରୀକ୍ଷା ହୋଇଛି ୭୦,୨୪୪ । ହେଲେ ପଜିଟିଭ୍‌ ହାର (ଟିପିଆର୍‌) ୨.୯୨% କୁ କମିଛି । ଉପର ତଳ ହେଉଛି ରାଜ୍ୟରେ ସଂକ୍ରମଣ । କେଉଁ ଦିନ ୩% ଉପରେ ତ ଆଉ କେଉଁ ଦିନ ସାମାନ୍ୟ କମ୍‌ । ଛତିଶଗଡ଼, ଝାଡ଼ଖଣ୍ଡ ସହ ପଡୋଶୀ ରାଜ୍ୟରେ ୫୦୦ ତଳେ ସଂକ୍ରମଣ ରହୁଥିବା ବେଳେ ଓଡ଼ିଶାରେ କିନ୍ତୁ ଟ୍ରେଣ୍ଡ ବଦଳୁନି । ଏ ସଂଖ୍ୟା କମିବାକୁ ଅଗଷ୍ଟ ପ୍ରଥମ ସପ୍ତାହ ହୋଇପାରେ । ଏମିତି ଆଶଙ୍କା କଲେଣି ବିଶେଷଜ୍ଞ।

ଡାକ୍ତର ପତି କହିଛନ୍ତି, ଛତିଶଗଡ଼, ବିହାର କେରଳ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଆଗୁଆ ସଂକ୍ରମଣ ଆସିଥିଲା । ମହାରାଷ୍ଟ୍ର ଆଉ କେରଳରେ ସଂକ୍ରମଣ ବଢୁଛି । ତେବେ ଓଡ଼ିଶାରେ ଏହା ଖସିବାକୁ ଆଉ କିଛି ସମୟ ଲାଗିପାରେ । ନୂଆ ଭାରିଏଣ୍ଟ ଏବେ ଆଉ କିଛି ଚିହ୍ନଟ ହୋଇନି । ବର୍ତ୍ତମାନ ସୁଦ୍ଧା ସେଇ ଗୋଟିଏ ଡେଲଟା ପ୍ଲସ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି । ଡେଲଟା ଭାରିଏଣ୍ଟର ଅଧିକ ଚିହ୍ନଟ ହେଉଛନ୍ତି । ତେବେ ଏବେ ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି । ଟିକାକରଣ ଯୋଗୁ ଏହା କମୁଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.