ଅଲ୍ଲାହବାଦ: ଶାହାରୁଖ ଖାନ୍ଙ୍କ ଫିଲ୍ମ ‘ପଠାନ’କୁ ନେଇ ବିବାଦ ଲାଗି ରହିଛି। ହେଲେ ତା ପୂର୍ବରୁ ଆରମ୍ଭରୁ ବିବାଦରେ ଫସିଥିବା ଫିଲ୍ମ ଅଦିପୁରଷକୁ ନେଇ ଏବେ କୋର୍ଟ ଜନସ୍ୱାର୍ଥ ମାମଲା ହୋଇଛି। ଏଥିପାଇଁ ଅହ୍ଲାବାଦ ହାଇକୋର୍ଟ ଫିଲ୍ମ ସେନ୍ସର ବୋର୍ଡକୁ ନୋଟିସ୍ କରି ଏହାର ଜବାବ ମାଗିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଫେବ୍ରୁଆରୀ ୨୧ ତାରିଖରେ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଉତ୍ତର ରଖିବାକୁ ବୋର୍ଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଫିଲ୍ମ ବିରୋଧରେ କୁଲଦୀପ ତିୱାରୀ ନାମକ ଜଣେ ବ୍ୟକ୍ତି ଜନସ୍ୱାର୍ଥ ମାମଲା ଦାୟର କରିଥିବା ବେଳେ ଏହାର ଶୁଣାଣି କରିଥିଲେ ଜଷ୍ଟିସ୍ ରାଜେଶ ବିନ୍ଦଲ ଓ ଜଷ୍ଟିସ ବିଆର୍ ସିଂହଙ୍କ ଖଣ୍ଡପୀଠ। ନିର୍ଦ୍ଧାରିତ ତାରିଖ ମଧ୍ୟରେ ଉତ୍ତର ରଖିବାକୁ ପ୍ରତିପକ୍ଷକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟରେ ହୋଇଥିବା ଆବେଦନ ଅନୁସାରେ ଫିଲ୍ମ ପ୍ରଯୋଜକ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ଓ ସେନ୍ସର ବୋର୍ଡ ଠାରୁ ସାର୍ଟିଫିକେଟ୍ ନ ନେଇ ପ୍ରମୋ ରିଲିଜ୍ କରିଛନ୍ତି। ଏଥିରେ ଆଇନ୍ର ଖୋଲାଖୋଲି ଉଲ୍ଲଂଘନ ହେଉଛି। ତା ସହିତ ଫିଲ୍ମରେ ଦେବୀ ସୀତାଙ୍କ ଭୂମିକାର ଅବତୀର୍ଣ୍ଣ ହୋଇଥିବା ଅଭିନେତ୍ରୀଙ୍କ ପୋଷାକ ପରିଧାନକୁ ନେଇ ମଧ୍ୟ ଅଭିଯୋଗ କରାଯାଇଥିବା ବେଳେ ରାବଣର ଲୁକ୍ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି।
ଆବେଦନରେ କୁହାଯାଇଛି ଯେ ଶ୍ରୀ ରାମ ଓ ମାତା ସୀତାଙ୍କ ପ୍ରତି ଲୋକମାନଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି। ହେଲେ ଫିଲ୍ମରେ ଶ୍ରୀରାମ ଲୋକଙ୍କ ବିଶ୍ୱାସ ବିରୋଧରେ ରହିଥିବା ଦେଖାଯାଇଛି। ଆବେଦନରେ ଫିଲ୍ମର ଅଭିନେତାଙ୍କ ପକ୍ଷ କରାଯାଇଥିବା ବେଳେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଏହାର ଉତ୍ତର ରଖିବାକୁ ଦାବି କରାଯାଇଛି।