ଓଟିଟି ପ୍ଲାଟ୍‌ଫର୍ମକୁ ନେଇ ସୁପ୍ରିମକୋର୍ଟଙ୍କ ଚିନ୍ତା ପ୍ରକଟ୍ କହିଲେ- ପ୍ରଦର୍ଶିତ ହେଉଛି ପୋର୍ଣ୍ଣଗ୍ରାଫି, କଣ୍ଟେଟ୍‌ର ସ୍କ୍ରିନିଂ ଜରୁରୀ

Published By : Prameya-News7 Bureau | March 04, 2021 IST

ନୂଆଦିଲ୍ଲୀ ୦୪।୦୩:  ସଂପ୍ରତି ଡିଜିଟାଲ ଦୁନିଆରେ ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ କଣ୍ଟେନ ସହ ବିବାଦୀୟ ଦୃଶ୍ୟର ପ୍ରସାରଣ ବଢିବାରେ ଲାଗିଛି। ଏହା ଉପରେ କାହାରି ଅଙ୍କୁଶ ନଥିବାରୁ ଖୁଲମଖୁଲା ଅଶ୍ଳୀଳ ଓ୍ଵେବସିରିଜ୍‌ ଏବଂ ଲୋକଙ୍କ ଭାବନାକୁ ଆଘାତ କରିବା ଭଳି ଜିନିଷର ପ୍ରସାରଣ କରାଯାଉଛି। ସୁପ୍ରିମକୋର୍ଟ ଓଟିଟି ଅର୍ଥାତ ଓଭର ଦ ଟପ୍‌ ପ୍ଲାଟ୍‌ଫର୍ମରେ ପ୍ରଦର୍ଶିତ କରାଯାଉଥିବା କଣ୍ଟେଟକୁ ନେଇ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି।

ଅଦାଲତ କହିଛନ୍ତି, କିଛି ପ୍ଲାଟଫର୍ମରେ ତ ପୋର୍ଣ୍ଣଗ୍ରାଫି ମଧ୍ୟ ପ୍ରସାରଣ କରାଯାଉଛି। ତେଣୁ ଓଟିଟି ଉପରେ ପ୍ରଦର୍ଶିତ ସମସ୍ତ କଣ୍ଟେଟ୍‌ର ସ୍କ୍ରିନିଂ  ହେବା ଉଚିତ୍। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ରେଗୁଲେସନକୁ ନେଇ ପ୍ରସ୍ତୁତ ଗାଇଡ୍‌ଲାଇନ୍ ଉପସ୍ଥାପନ କରିବାକୁ କହିଛନ୍ତି।

ଓ୍ଵେବ୍‌ସିରିଜ୍‌ ତାଣ୍ଡବ ବିରୋଧରେ ଚାଲିଥିବା ତଦନ୍ତରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଆମାଜନର ଇଣ୍ଡିଆ ପ୍ରମୁଖ ଅପର୍ଣ୍ଣା ପୁରୋହିତଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ଶୁଣାଣି କରି ବିଚାରପତି ଅଶୋକ ଭୂଷଣ କହିଛନ୍ତି, ଇଣ୍ଟରନେଟ୍ ଓ ଓଟିଟି ଉପରେ ସିନେମା ଦେଖିବା ସାଧାରଣ କଥାରେ ପରିଣତ ହୋଇ ସାରିଛି। ଏପରିକି ଏହି ପ୍ଲାଟଫର୍ମରେ ପୋର୍ଣ୍ଣଗ୍ରାଫି ମଧ୍ୟ ପ୍ରଦର୍ଶିତ କରାଯାଉଛି। ପୀଠ ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କୁ ସାମାଜିକ ଗଣମାଧ୍ୟମ ପାଇଁ ଜାରି ମାର୍ଗଦର୍ଶିକାକୁ ଉପସ୍ଥାପନ କରିବାକୁ କହିଛନ୍ତି।

ଆଜି ଏହି ମାମଲାରେ ସୁପ୍ରିମକୋର୍ଟରେ କେବଳ ଦୁଇ ମିନିଟ୍‌ର ଶୁଣାଣି  ହୋଇଛି। ଶୁଣାଣି ଆରମ୍ଭରେ ବିଚାରପତି ଅଶୋକ ଭୂଷଣ କହିଛନ୍ତି, ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ହେଉଥିବା କଣ୍ଟେଟ୍‌ର ସ୍କ୍ରିନିଂ ହେବା ଉଚିତ୍। ଯେଉଁଭଳି ଫିଲ୍ମର ସମୀକ୍ଷା  ସେନସର ବୋର୍ଡ କରୁଛି ଠିକ୍ ସେହି ପରି ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମକୁ ଦେଖିବା ପରେ ଏହାକୁ ସ୍ଵୀକୃତି ମିଳିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.