ୱାଶିଂଟନ: ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ଭୋଟ୍ ଦେବ ପୂରା ଦେଶ । ଏହାକୁ ନେଇ ଦୁଇ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଓ କମଳା ହାରିସ୍ ଜନସମର୍ଥନ ହାସଲ କରିବାରେ ଲାଗିପଡ଼ିଛନ୍ତି । ପ୍ରଥମ ପ୍ରେସିଡେନ୍ସିଆଲ୍ ବିତର୍କ ଇତିମଧ୍ୟରେ ଶେଷ ହୋଇଛି । ଏଭଳି ସ୍ଥିତିରେ ବିଶ୍ୱର ପ୍ରମୁଖ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ଉଭୟ ଟ୍ରମ୍ପ୍ ଓ କମଳାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଉଭୟ ଜୀବନ ବିରୋଧୀ ନୀତି ଅବଲମ୍ବନ କରୁଛନ୍ତି । ଟ୍ରମ୍ପ୍ ଓ କମଳାଙ୍କ ମଧ୍ୟରୁ ‘କମ୍ ସୈତାନି ପ୍ରାର୍ଥୀ’ଙ୍କୁ ଚୟନ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି ।
ଏସିଆର ୪ଟି ଦେଶ ଗସ୍ତ କରିବା ପରେ ପୋପ୍ ଶୁକ୍ରବାର ରୋମ୍ ଫେରିଥିଲେ । ଫେରିବା ବାଟରେ ବିମାନ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ସେ ଟ୍ରମ୍ପ୍ ଓ କମଳାଙ୍କ ନାଁ ନ ନେଇ ସମାଲୋଚନା କରିଥିଲେ । ପୋପ୍ କହିଥିଲେ, ‘‘ ଭୋଟ୍ ନଦେବା ଖରାପ କଥା । କିନ୍ତୁ ଭୋଟିଂ ବେଳେ ‘କମ୍ ସୈତାନି ପ୍ରାର୍ଥୀ’ଙ୍କୁ ବାଛିବାକୁ ହେବ । କମ୍ ସୈତାନି କିଏ ? ମହିଳା ଜଣକ କମଳା ନା ଭଦ୍ରବ୍ୟକ୍ତି ଜଣକ ଟ୍ରମ୍ପ୍ ? । ମୁଁ ତାହା ଜାଣେନାହିଁ । ପ୍ରତ୍ୟେକ ବ୍ୟକ୍ତି ନିଜ ବିବେକକୁ ବ୍ୟବହାର କରି ପ୍ରାର୍ଥୀ ଚୟନ କରିବା ଆବଶ୍ୟକ ।’’
ଉଭୟ ପ୍ରାର୍ଥୀ ଜୀବନ ବିରୋଧୀ । ଟ୍ରମ୍ପ୍ ପ୍ରବାସୀମାନଙ୍କୁ ଦେଶରୁ ବିଦା କରୁଥିବା ବେଳେ କମଳା ହାରିସ ପିଲାଙ୍କୁ ଗର୍ଭରେ ମାରିବା ବିଷୟକୁ ସମର୍ଥନ କରୁଛନ୍ତି । ପ୍ରବାସୀଙ୍କୁ ଦେଶରୁ ବିଦା କରିବା ବଡ଼ ପାପ । ପ୍ରବାସୀଙ୍କୁ ତଡ଼ିବା ଏବଂ ସେମାନଙ୍କୁ ଉନ୍ନତ ଜୀବନ ଜୀଇଁବାରୁ ରୋକିବା ଉଚିତ ନୁହେଁ । ଏହା ଏକପ୍ରକାର ନୀଚ କାମ । ଏହା ପୂର୍ବରୁ ପୋପ୍ ଫ୍ରାନ୍ସିସ୍ ୨୦୧୬ରେ ଟ୍ରମ୍ପ୍ଙ୍କ ପ୍ରବାସୀଙ୍କୁ ନେଇ ଆଭିମୁଖ୍ୟକୁ ଗଭୀର ନିନ୍ଦା କରିଥିଲେ । ସେ କହିଥିଲେ, କୌଣସି ପ୍ରବାସୀଙ୍କୁ ବିଦା କରିବା ପାଇଁ ଯେ ପାଚେରି ନିର୍ମାଣ କରେ ସେ ସଚ୍ଚା ଖ୍ରୀଷ୍ଟିଆନ ନୁହନ୍ତି । ଗର୍ଭନଷ୍ଟ ପ୍ରସଙ୍ଗରେ ବି ପୋପ୍ ପୂର୍ବରୁ ଟିପ୍ପଣୀ କରିଛନ୍ତି । ୨୦୧୮ ଅକ୍ଟୋବରରେ ସେ କହିଥିଲେ କି କୌଣସି ସମସ୍ୟାର ସମାଧାନ ଲାଗି ମାନବ ଜୀବନକୁ ଶେଷ କରିବା ଠିକ୍ ନୁହେଁ । ବୟସ ଯେତେ ହୋଇଥାଉ ନା କାହିଁକି, ସମସ୍ତଙ୍କର ବଞ୍ଚିବା ଅଧିକାର ରହିଛି ।