ଯୌନ କେଳେଙ୍କାରିରେ ସମ୍ପୃକ୍ତ ପାଦ୍ରୀଙ୍କ ବିରୋଧରେ ପୋପଙ୍କ କାର୍ଯ୍ୟାନୁଷ୍ଠାନ,ସମସ୍ତ ଦାୟିତ୍ବ ଓ ଅଧିକାରରୁ ବରଖାସ୍ତ
2/03/2020 at 12:53 PM

କୋଝିକୋଡ ୨/୩: ନାବାଳିକାଙ୍କ ଯୌନ ଶୋଷଣ କରିବାରେ ପାଦ୍ରୀଙ୍କ ସମ୍ପୃକ୍ତି ଘଟଣାକୁ ଗ୍ରହଣ ନ କରିବା ନୀତିରେ ଅଟଳ ରହିଥିବା ପୋପ ଫ୍ରାନସିସ ଦୁଷ୍କର୍ମ ଅଭିଯୁକ୍ତ କେରଳର ଜଣେ ପାଦ୍ରୀଙ୍କଠୁ ସମସ୍ତ ଦାୟିତ୍ବ ଏବଂ ଅଧିକାର ଛଡ଼ାଇ ନେଇଛନ୍ତି। ସାୟରୋ-ମାଲାବାର ଚର୍ଚ୍ଚର ପାଦ୍ରୀ ରବିନ୍ ବଡକ୍କୁମଚେରୀ ମନନ୍ତଓ୍ବାଡ଼ି ଡାୟୋସିସ ୧୬ବର୍ଷ ବୟସ୍କା ନାବାଳିକାଙ୍କୁ ଗର୍ଭବତୀ କରାଇବା ଅପରାଧରେ ଏବେ ଜେଲରେ ବନ୍ଦୀ ଅଛନ୍ତି।

ବଡକ୍କୁମଚେରୀଙ୍କୁ ପାଦ୍ରୀର ସମସ୍ତ ଦାୟିତ୍ବ ଏବଂ ଅଧିକାରରୁ ମୁକ୍ତ କରି ଦିଆଯାଇଛି। ଅର୍ଥାତ୍ ସେ ଏବେ ଜଣେ ସାଧାରଣ ବ୍ୟକ୍ତି ହୋଇ ଯାଇଛନ୍ତି। ତାଙ୍କୁ ୨୦୧୭ମସିହାରେ ଏହି ଖବର ଜଣା ପଡ଼ିବା ପରେ ପାଦ୍ରୀର କର୍ତ୍ତବ୍ୟରୁ ନିଲମ୍ବିତ କରି ଦିଆଯାଇଥିଲା।

ଥାଲାସ୍ସେରୀରେ ପକ୍ସୋ ଅଦାଲତ ଗତ ବର୍ଷ ବଡକ୍କୁମଚେରୀଙ୍କୁ ୨୦ବର୍ଷର କଠୋର କାରାଦଣ୍ଡ ଶୁଣାଇଛନ୍ତି ଏବଂ ତାଙ୍କ ଉପରେ ୩ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି।